ନିରବଚ୍ଛିନ୍ନ କୋଇଲା ଉତ୍ପାଦନ ଏବଂ ପ୍ରେରଣ ପାଇଁ ଏମ୍.ସି.ଏଲ୍ ସି.ଏମ୍.ଡିଙ୍କର ଶ୍ରମିକ ସଂଗଠନମାନଙ୍କୁ ନିବେଦନ

କୋଇଲା ପରିଚାଳନାରେ ବାଧାବିଘ୍ନକୁ ଏଡ଼ାଇବା ପାଇଁ ସଂଯମତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ

ସମ୍ବଲପୁର, ୧୦/୦୨: ଆସନ୍ତା ୧୨ ଫେବୃଆରୀ ୨୦୨୬ରେ ବିଭିନ୍ନ ଶ୍ରମିକ ସଂଗଠନ ଦ୍ଵାରା ପ୍ରସ୍ତାବିତ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ବିଜ୍ଞପ୍ତି ପାଇଁ ଏମ୍.ସି.ଏଲ୍ (MCL) ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(CMD) ଶ୍ରୀ ଉଦୟ ଅନନ୍ତ କାଓଲେ ତା:୧୦ ଫେବୃଆରୀରେ କମ୍ପାନୀର ମୁଖ୍ୟାଳୟ ଠାରେ ସମସ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ଏକ ଜରୁରୀକାଳୀନ ସଂଯୁକ୍ତ ପରାମର୍ଶଦାତା ସମିତି ବୈଠକ ଡାକିଥିଲେ।

ଉକ୍ତ ବୈଠକରେ କମ୍ପାନିର ସମସ୍ତ ନିର୍ଦ୍ଦେଶକଗଣ, ବରିଷ୍ଠ ଅଧିକାରୀ ଓ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ଯରେ ଶ୍ରୀ ରଞ୍ଜନ ବେହରା (ବି.ଏମ୍.ଏସ୍.), ଶ୍ରୀ ଶଙ୍କର ବେହରା, ଏଚ୍.ଏମ୍.ଏସ୍. (ଓ.ସି.ଏମ୍.ଏଲ୍.ଏଫ୍.), ଶ୍ରୀ ଅଶୋକ କୁମାର ଦାସ, ଏ.ଆଇ.ଟି.ୟୁ.ସି. ଏବଂ ଶ୍ରୀ ପ୍ରକାଶ ଜୈନ, ସି.ଏମ୍.ଓ.ଏ.ଆଇ. ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ସି.ଏମ୍.ଡି ଶ୍ରୀ କାଓଲେ ଏମ୍.ସି.ଏଲର ଶିଳ୍ପ ସୌହାର୍ଦ୍ଦ୍ଯର ଦୀର୍ଘ ପରମ୍ପରା ଏବଂ ବାର୍ତ୍ତାଳାପ ମାଧ୍ଯମରେ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶକ୍ତି ଯୋଗାଣ ଏବଂ ବ୍ୟାପକ ଅର୍ଥବ୍ଯବସ୍ଥାକୁ ପ୍ରଭାବିତ କରୁଥିବା କୋଇଲାର ସମସ୍ତ ପରିଚାଳନାରେ ବାଧାବିଘ୍ନକୁ ଏଡ଼ାଇବା ପାଇଁ ସଂଯମତା ଅବଲମ୍ବନ କରିବା ଏବଂ ମିଳିତ ଭାବେ କାର୍ଯ୍ଯ କରିବା ଲାଗି ସେ ଟ୍ରେଡ୍ ୟୁନିଅନର ମୁଖ୍ୟ ମାନଙ୍କୁ ଅନୁରୋଧ କରିଥିଲେ।

ତତ୍ ସହିତ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ) ନିରବଚ୍ଛିନ୍ନ କୋଇଲା ଉତ୍ପାଦନ ଏବଂ ପ୍ରେରଣ ବଜାୟ ରଖିବା ପାଇଁ ସମସ୍ତ ଶ୍ରମିକ ସଂଗଠନର ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ।