ରାଜ୍ୟ ବଜେଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଅନ୍ତସାର ଶୂନ୍ୟ ଓ ପ୍ରଚାରଧର୍ମୀ ବଜେଟ

ଗତ ୩ ବଜେଟରେ ରାଜ୍ୟ ଉପରେ ୧.୩୮ ଲକ୍ଷ କୋଟି ଋଣବୋଝ

ଭୁବନେଶ୍ୱର, ୨୧/୦୨: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ, ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି ଅଭିହିତ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପୀତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ୱ ନେବା ପରେ ରାଜ୍ୟର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାର କରି ଓଡିଶାକୁ ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।

କୃଷକ ମାନଙ୍କ ସମସ୍ୟାକୁ ସମାଧାନ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ କି ଆନ୍ତରିକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ପରିମାଣକୁ କମାଇ ଦିଆଯାଇଛି । ବିଭିଜି ରାମଜୀ ଯୋଜନାରେ ୯୦:୧୦ ପରିବର୍ତ୍ତେ, ୬୦:୪୦ରେ ଖର୍ଚ୍ଚ ହେବ, ଯାହା ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ବଢିବ । ଏହି ବଜେଟ ଏକ ପ୍ରଚାରଧର୍ମୀ ବଜେଟ । ଅନେକ ଯୋଜନା ଘୋଷଣା କରିଛନ୍ତି, କିନ୍ତୁ ଅର୍ଥ ପ୍ରଦାନ କରାଯାଇନାହିଁ । ମୁଙ୍ଗେରିଲାଲଙ୍କ ହସିନ ସ୍ୱପ୍ନ ଭଳି ସରକାର ରାଜ୍ୟର ବିକାଶ ପାଇଁ ରାଜ୍ୟବାସୀଙ୍କୁ କେବଳ ସ୍ୱପ୍ନ ଦେଖାଉଛନ୍ତି ।

ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କୁ ନିରାଶ କରିଛି, କାରଣ କେନ୍ଦ୍ରୀୟ ଅନୁଦାନ ବଢ଼ୁନାହିଁ, ବରଂ କମୁଛି । ପୂର୍ବ ବଜେଟର ମାତ୍ର ୪୭% ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନ କମିବାରେ ଲାଗୁଛି । ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ବଜେଟଟି ହେଉଛି ଅନ୍ତସାର ଶୂନ୍ୟ ବଜେଟ । ଗୋଟିଏ ଦାୟିତ୍ୱହୀନ ସରକାରଙ୍କର ଦୃଷ୍ଟିହୀନ ବଜେଟ । ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନବୀନ ବାବୁ ଓଡିଶାକୁ ଏକ ନମ୍ୱରରେ ପହଞ୍ଚାଇଥିଲେ । କିନ୍ତୁ ଋଣବୋଝ ବଢ଼ାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ସମୁଦାୟ ଋଣ ପରିମାଣରୁ ପ୍ରାୟ ୪୦% ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ୍ ଜୋନ୍କୁ ନେଇଯାଉଛି । ବିଡ଼ମ୍ୱନାର ବିଷୟ ଯେ, ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ । ବିତ୍ତୀୟ ନିଅଣ୍ଟ ୧.୭%ରୁ ୩.୫%କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ, ବିଦ୍ୟାଳୟ ଓ ଗଣଶିକ୍ଷା ଇତ୍ୟାଦି ବିଭାଗରେ ରାଜ୍ୟ ସରକାର ଚଳିତ ବଜେଟରେ ଅର୍ଥ କମାଇ ଦେଇଛନ୍ତି । ଏପରିକି ସରକାର ନିଜେ ଘୋଷଣା କରିଥିବା ଫ୍ଲାଗ୍ସିପ ଯୋଜନା ଗୁଡିକ ଆରମ୍ଭ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କଥା ନିଆଯାଇପାରେ, ଯାହା ଇଞ୍ଚଟିଏ ମଧ୍ୟ ଏପର୍ଯ୍ୟନ୍ତ ଆଗେଇ ପାରିନାହିଁ ।