ହୋଲି ପର୍ବରେ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥର ୧୩୨ଟି ହୋଲି ସ୍ପେଶାଲ୍ ଟ୍ରେନ୍

ପୂର୍ବତଟ ରେଳପଥ ମଧ୍ୟ ଦେଇ ଅତିରିକ୍ତ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଯାତାୟାତ

ଭୁବନେଶ୍ୱର, ୨୮/୦୨: ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଛି।

ଏହାସହିତ, ଦେଶର ବିଭିନ୍ନ ପ୍ରାନ୍ତରୁ ଆରମ୍ଭ ହେଉଥିବା ଅନ୍ୟ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନସ୍ଥ ବିଭିର୍ଣ୍ଣ ଷ୍ଟେସନ୍‌ମାନଙ୍କରେ ରହଣି କରି ଗତି କରିବ, ଯାହା ଏହି ପାର୍ବଣ ଋତୁର ଭିଡ଼ ସମୟରେ ଯାତ୍ରା କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ।

ପ୍ରତିବର୍ଷ, ହୋଲି ସମୟରେ ଯାତ୍ରୀଙ୍କ ଗତିବିଧି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଏ କାରଣ ଲୋକମାନେ ସେମାନଙ୍କ ପରିବାର ସହିତ ପର୍ବ ପାଳନ କରିବାକୁ ଯାତ୍ରା କରନ୍ତି। ଏହାକୁ ଦୃଷ୍ଟିରେ ରଖି, ଏହି ସ୍ୱତନ୍ତ୍ର ଟ୍ରେନ୍ ଫେବୃଆରୀ ଶେଷ ସପ୍ତାହରୁ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅଧିକ ଚାହିଦା ଥିବା ରୁଟରେ ପରିଚାଳିତ ହେଉଛି।

ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ପୂର୍ବ ତଟ ରେଳପଥ କ୍ଷେତ୍ରାଧିକାରରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକୁ ସଂଯୋଗ କରିବ। ପ୍ରମୁଖ ରୁଟ୍‌ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ: ଭୁବନେଶ୍ୱର – ଯଶବନ୍ତପୁର, ଭୁବନେଶ୍ୱର – ଧନବାଦ, ସମ୍ବଲପୁର – ଇରୋଡ୍, ପୁରୀ – ପାଟନା।

ବିଶାଖାପାଟଣାରୁ ମଧ୍ୟ ଅନେକ ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ପ୍ରାନ୍ତ ଅଭିମୁଖେ ପରିଚାଳିତ ହେଉଛି ଯେପରିକି: ତିରୁପତି, ଶାଲିମାର, ଚର୍ଲାପାଲ୍ଲି, SMVT ବେଙ୍ଗାଲୁରୁ। ପର୍ବରୁ ଭୁବନେଶ୍ୱର-ଯଶବନ୍ତପୁର, ବିଶାଖାପାଟଣା-ତିରୁପତି, ବିଶାଖାପାଟଣା-ଶାଲିମାର, ବିଶାଖାପାଟଣା-SMVT ବେଙ୍ଗାଲୁରୁ, ଭୁବନେଶ୍ୱର-ଧାନବାଦ ଏବଂ ପୁରୀ-ପାଟନା ଭଳି ରୁଟ୍‌ଗୁଡ଼ିକରେ ବିଶେଷ ଚାହିଦା ରହିଛି।

 

ପୂର୍ବତଟ ରେଳପଥ ମଧ୍ୟଦେଇ ଅତିରିକ୍ତ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଯାତାୟାତ

ପୂର୍ବତଟ ରେଳପଥ ରୁ ବାହାରୁଥିବା ଟ୍ରେନଗୁଡ଼ିକ ବ୍ୟତୀତ, ଏର୍ଣ୍ଣାକୁଲମ, ବରୌନୀ, ଦିଲ୍ଲୀ, ପାଟନା, ଭୁସାଭଲ, ମୁଜାଫରପୁର, ସାନ୍ତ୍ରାଗାଛି, ତିରୁବନନ୍ତପୁରମ, ନାହରଲାଗୁନ, ଟାଟା, ବେଙ୍ଗାଲୁରୁ, ଗୋମତୀ ନଗର, ଚେନ୍ନାଇ ଏବଂ କୋଲକାତା ଭଳି ପ୍ରମୁଖ ସହରଗୁଡ଼ିକରୁ ପ୍ରାୟ 150ଟି ହୋଲି ସ୍ପେଶାଲ୍ ଟ୍ରେନ ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅନ୍ତର୍ଗତ ବିଭିନ୍ନ ଷ୍ଟେସନ ଦେଇ ଯାତ୍ରା କରିବ, ଯାହା ସଂଯୋଗୀକରଣ ଏବଂ ଯାତ୍ରୀଙ୍କ ସୁବିଧାକୁ ଆହୁରି ବୃଦ୍ଧି କରିବ।

 

ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁବିଧା ବ୍ୟବସ୍ଥା

ପାର୍ବଣ ଋତୁର ଭିଡ଼କୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନସ୍ଥ ପ୍ରମୁଖ ଷ୍ଟେସନଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଯାତ୍ରୀ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଏବଂ ବିଶାଖାପାଟଣା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ବିଶେଷ ‘ହୋଲ୍ଡିଂ ଏରିଆ’ ଚିହ୍ନିତ କରାଯାଇଛି।। ଭିଡ଼କୁ ରୋକିବା ପାଇଁ ବ୍ୟସ୍ତବହୁଳ ସମୟରେ ପ୍ଲାଟଫର୍ମରେ ନିୟନ୍ତ୍ରିତ ପ୍ରବେଶ ସୁନିଶ୍ଚିତ କରାଯିବ। ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଶୃଙ୍ଖଳିତ ବୋର୍ଡିଂ ସୁବିଧା ପାଇଁ ଉପଯୁକ୍ତ ବ୍ୟାରିକେଡିଂ ସହିତ ଧାଡି ବ୍ୟବସ୍ଥା ଯୋଜନା କରାଯାଇଛି।

ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଅତିରିକ୍ତ ରେଳ ସୁରକ୍ଷା ବଳ (RPF) କର୍ମଚାରୀ ଏବଂ କମରସିଆଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିରନ୍ତର ସାର୍ବଜନୀନ ଘୋଷଣା ଦ୍ୱାରା ଯାତ୍ରୀମାନେ ଟ୍ରେନର ଆଗମନ, ପ୍ଲାଟଫର୍ମ ନମ୍ବର ଇତ୍ୟାଦି ବିଷୟରେ ଅବଗତ ରହିବେ।

 

ଉନ୍ନତ ସଫେଇ ଏବଂ ପରିମଳ

ଷ୍ଟେଶନ ଏବଂ ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ସଫେଇ ଅଭିଯାନ ହାତକୁ ନିଆଯାଉଛି। ପ୍ଲାଟଫର୍ମ, ସଞ୍ଚାଳିତ କ୍ଷେତ୍ର, ପ୍ରତୀକ୍ଷାଳୟ ଏବଂ ଶୌଚାଳୟଗୁଡ଼ିକୁ ନିୟମିତ ବ୍ୟବଧାନରେ ସଫା କରାଯାଉଛି। ଅଧିକ ଭିଡ଼ ସମୟରେ ସ୍ୱଚ୍ଛତା ଏବଂ ପରିମଳ ବଜାୟ ରଖିବା ପାଇଁ ଅତିରିକ୍ତ ହାଉସକିପିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପାନୀୟ ଜଳ ଏବଂ କାର୍ଯ୍ୟକ୍ଷମ ଶୌଚାଳୟ ସୁବିଧାର ପର୍ଯ୍ୟାପ୍ତ ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯାଉଛି।

 

ପରିଚାଳନାତ୍ମକ ନିରୀକ୍ଷଣ

ରେଳବାଇର ବରିଷ୍ଠ ଅଧିକାରୀମାନେ ପାର୍ବଣ ଋତୁରେ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ସମୟାନୁବର୍ତ୍ତୀତା ଏବଂ ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନିୟନ୍ତ୍ରଣ କକ୍ଷଗୁଡ଼ିକରେ ରିଅଲ୍ ଟାଇମ୍ ସମନ୍ୱୟ ବଜାୟ ରଖିଛନ୍ତି। ଯେକୌଣସି ପରିଚାଳନାଗତ ଜରୁରୀକାଳୀନ ପରିସ୍ଥିତିର ସମାଧାନ ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳମାନଙ୍କୁ ସଜାଗ ଅବସ୍ଥାରେ ରଖାଯାଇଛି।

ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଯୋଜନା କରିବା ପୂର୍ବରୁ ସରକାରୀ ରେଳବାଇ ତଦନ୍ତ ପ୍ରଣାଳୀ ଏବଂ ଏବଂ ଆଇ. ଆର୍. ସି. ଟି. ସି. ପ୍ଲାଟଫର୍ମ ମାଧ୍ୟମରେ ବିସ୍ତୃତ ସମୟସୂଚୀ, ରହଣି ଏବଂ ସିଟ୍ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ।

ପୂର୍ବତଟ ରେଳପଥ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ, ସୁଖଦ ଓ ଆନନ୍ଦମୟ ହୋଲି ପର୍ବର ଅନେକ ଶୁଭେଚ୍ଛା ଜଣାଉଛି।