ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର ପେନ୍‌

ସୋଆରେ ଆନ୍ତର୍ଜାତୀୟ ଏଆଇ କନକ୍ଲେଭ

ଭୁବନେଶ୍ୱର, ୦୨/୦୩: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ଏବେ ସବୁଠି ଚର୍ଚ୍ଚାରେ ରହିଥିବା ବେଳେ ଏହି ସମ୍ପର୍କିତ ଜଣେ ଆନ୍ତର୍ଜାତିକ ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତାକୁ ପଛରେ ପକାଇଦେବ ।

ମେସିନ୍ କେବଳ ଶିକ୍ଷା ଆହରଣ କରିବ ନାହିଁ ବରଂ ଶିକ୍ଷା ଗ୍ରହଣ କିଭଳି କରାଯାଏ ତାହାକୁ ମଧ୍ୟ ଶିଖିବାରେ ସକ୍ଷମ ହୋଇଯିବ ବୋଲି କହିଛନ୍ତି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏଆଇ ଏଥିକ୍ସ ଆଣ୍ଡ ସୋସାଇଟିର ପ୍ରଫେସର ଓ ହାଭାର୍ଡ ବିଶ୍ୱବିଦ୍ୟାଳୟର ବର୍କମ୍ୟାନ୍ କ୍ଲେନ୍ ସେଂଟର ଫର ଇନ୍‌ଟରନେଟ ଆଣ୍ଡ ସୋସାଇଟିର ଫ୍ୟାକଲ୍ଟି ପ୍ରଫେସର (ଡକ୍ଟର) ଜନି ପେନ୍ । ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆନ୍ତର୍ଜାତିକ ଏଆଇ କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ପେନ୍ ।

ସମ୍ମିଳନୀର ପ୍ରସଙ୍ଗ “ଇଣ୍ଡିଆଜ୍ ଏଆଇ ଫ୍ୟୁଚର- ରୋଲ ଅଫ୍ ଏକାଡେମିଆ, ଇଣ୍ଡଷ୍ଟ୍ରି, ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌” ଉପରେ ନିଜ ବକ୍ତବ୍ୟ ରଖି ପ୍ରଫେସର ପେନ୍ କହିଥିଲେ ଯେ ବର୍ତମାନ ଭଳି ୧୫ ବର୍ଷ ତଳେ ଏଆଇ କୌଣସି ଚର୍ଚ୍ଚାରେ ନଥିଲା । ତେବେ ବର୍ତମାନ ଲୋକମାନେ ଏଆଇ ଓ ଏହା ଭବିଷ୍ୟତକୁ କିଭଳି ପ୍ରଭାବିତ କରିବ ସେ ବିଷୟରେ ଚିନ୍ତିତ ଅଛନ୍ତି ।

ପ୍ରଫେସର ପେନ୍ କହିଥିଲେ ଯେ ‘ଇନ୍‌ଟେନ୍ସନ୍ ଇକୋନୋମି’ କ୍ଷେତ୍ରରେ ଏଆଇର ପ୍ରଭାବ ରହିଥିବା ବେଳେ ସାମାଜିକ ବୈଷୟିକ କ୍ଷେତ୍ର ଏବଂ ଜଳବାୟୁ ପରିବର୍ତନକୁ ନେଇ ଏହାର ଭୂମିକା ରହିବ ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଭାରତରେ ଅବସ୍ଥାପିତ ଗାଏନାର ରାଷ୍ଟ୍ରଦୂତ ଶ୍ରୀ ଧରମକୁମାର ସିରାଜ, ଟିମୋର-ଲେଷ୍ଟେର ରାଷ୍ଟ୍ରଦୂତ ଶ୍ରୀ କାର୍ଲିଟୋ ନ୍ୟୁନସ ଏବଂ ବଲିଭିଆର କାଉନ୍‌ସେଲର ମିସ୍ ଆର୍ଲେଟ ଗାବ୍ରିଏଲା ବୁସ୍ତାମାଂଟେ ଗାର୍ସିଆ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଶ୍ରୀ ସିରାଜ କହିଥିଲେ ଯେ ମଣିଷର ଦୈନନ୍ଦିନ ଜୀବନରେ ଏଆଇର ପ୍ରଭାବ ରହିଥିବା ବେଳେ ବିକାଶ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେଉଛି । ଏଆଇ ଆମ ଜୀବନରେ ଏକ ବଡ଼ ଭୂମିକା ନେବାକୁ ଯାଉଥିବା ବେଳେ ଅର୍ଥନୀତି ଏବଂ ବିକାଶ ଉପରେ ମଧ୍ୟ ଏହାର ଭୂମିକା ରହିବ ବୋଲି ସେ କହିଥିଲେ ।

ସେହିପରି ଏଆଇ ଯୋଗୁଁ ଚାକିରି କ୍ଷେତ୍ର ପ୍ରଭାବିତ ହେଉଥିବା ପ୍ରସଙ୍ଗକୁ ନେଇ ଶ୍ରୀ ସିରାଜ କହିଥିଲେ ଯେ ଏଆଇ ପ୍ରଶିକ୍ଷିତ ଏବଂ ଏଆଇର ବ୍ୟବହାର ଜାଣିଥିବା ବ୍ୟକ୍ତିମାନଙ୍କ ପାଇଁ ଏଆଇକୁ ନେଇ ଭୟଭୀତ ହେବା ଆବଶ୍ୟକ ନୁହେଁ । ତେବେ ଯେଉଁମାନେ ଏଆଇ ପ୍ରଶିକ୍ଷିତ ନୁହଁନ୍ତି ସେମାନେ ଚାକିରି ହରାଇବାର ସମ୍ଭାବନା ରହିଥିବା ସେ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏଆଇ ଯେ ଚାକିର ଛଡ଼ାଇ ନେବ ସେ ନେଇ ଭୟଭୀତ ହେବାର ନାହିଁ ବରଂ ବୃତିଗତ ସ୍ତରରେ ଏହା ସହାୟକ ହେବ । ତେବେ ଭବିଷ୍ୟତରେ ଏଆଇ ସମ୍ପର୍କିତ ଜ୍ଞାନ ରଖୁଥିବା ବ୍ୟକ୍ତି ଏ ସମ୍ପର୍କରେ ଅନଭିଜ୍ଞ ଥିବା ବ୍ୟକ୍ତିଙ୍କ ଠାରୁ ଆଗରେ ରହିବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।