ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସନାତନ ଧର୍ମ ସମ୍ମିଳନୀ ଉଦଯାପିତ

ଭାରତର ବିଭିନ୍ନ ଧର୍ମ ଧାରାରୁ ବହୁ ସାଧୁସନ୍ଥ ଯୋଗ ଦେଇଥିଲେ

ରାଜନଗର, ୦୨/୦୩: ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ଗୁପ୍ତି – ବନବିହାରୀପୁର ଗ୍ରାମ ମଧ୍ୟସ୍ଥଳୀରେ ୫୬ତମ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଉଦଯାପିତ ହୋଇଯାଇଛି। ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଆଞ୍ଚଳିକ ଭକ୍ତ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଏହି ସନାତନ ଧର୍ମ ସମ୍ମିଳନୀ ଗତ ୨୬ ରୁ ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହୋଇଯାଇଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ହରିକଥା ଶ୍ରବଣ କରିଥିଲେ। ପ୍ରତ୍ୟହ ଶ୍ରୀ ଶ୍ରୀ ଠାକୁରଙ୍କ ମଙ୍ଗଳ ଆଳତି, ଶ୍ରୀବିଷ୍ଣୁ ସହସ୍ରନାମ ପାଠ, ପ୍ରଭାତ କୀର୍ତ୍ତନ ସହିତ ସନ୍ଧ୍ୟା ଆଳତି ପ୍ରଭୃତି ନିତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହି ମହାନ ଧର୍ମ ସମ୍ମିଳନୀରେ ଶାନ୍ତି ଆନନ୍ଦାଶ୍ରମର ସାଧୁସନ୍ଥ ମାନଙ୍କ ସହ ଭାରତର ବିଭିନ୍ନ ଧର୍ମ ଧାରାରୁ ବହୁ ସାଧୁସନ୍ଥ ଉପସ୍ଥିତ ହୋଇ ସନାତନ ଧର୍ମର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ଏତଦବ୍ୟତୀତ ଓଡ଼ିଶାର ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମ ଦର୍ଶନ ତତ୍ତ୍ବକୁ ଉପସ୍ଥାପନ କରିଥିଲେ। ପ୍ରତ୍ୟେକ ଦିନ ଧର୍ମସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସନାତନ ଧର୍ମ ସମ୍ମିଳନୀକୁ ଆଞ୍ଚଳିକ ଭକ୍ତଗୋଷ୍ଠୀର ସେବକ ଅଭୟ ଦାସ ପରିଚାଳନା କରିଥିଲେ। ଭକ୍ତ ଗୋଷ୍ଠୀର ସଭାପତି ଦିବାକର ପରିଡ଼ା, ଉପସଭାପତି ଅଭିରାମ ମହାନ୍ତି, ସମ୍ପାଦକ ଗୋଲେଖ ବିହାରୀ ରାଉତ, ଯାମିନିକାନ୍ତ ସାହୁ, ଦୁଃଶାସନ ନାୟକ, ଯାମିନୀ କାନ୍ତ ବିଶ୍ଵାଳଙ୍କ ସମେତ ଗୁପ୍ତି ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ଅକୁଣ୍ଠ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା।