ସର୍ବାଧିକ ସଫଳ ଯକୃତ ପ୍ରତିରୋପଣ କରି କିମ୍ସର ରେକର୍ଡ
ଯକୃତ ପ୍ରତିରୋପଣ କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଅନୁଷ୍ଠାନ ହୋଇଛି କିମ୍ସ
କିମ୍ସରେ ରହିଛି ପ୍ରାରମ୍ଭିକ ରୋଗ ନିର୍ଣ୍ଣୟଠାରୁ ପ୍ରତିରୋପଣ ପରବର୍ତ୍ତୀ ଦୀର୍ଘ କାଳୀନ ଯତ୍ନର ବ୍ୟବସ୍ଥା
ଭୁବନେଶ୍ୱର, ୦୫/୦୩: ଭାରତରେ ଯକୃତ ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ପାଲଟିଛି। ଲିଭର ସିରୋସିସ୍, ଯକୃତ ଠିକ୍ ଭାବେ କାମ ନ କରିବା ଓ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଭଳି କ୍ଷେତ୍ରରେ ଅଧିକାଂଶ ରୋଗୀଙ୍କ ପାଇଁ ଯକୃତ ପ୍ରତିରୋପଣ ଏକମାତ୍ର ବିକଳ୍ପ ଓ ଜୀବନ ରକ୍ଷାକାରୀ ଚିକିତ୍ସା ଭାବେ ଉଭା ହୋଇଛି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ସଫଳ ଯକୃତ ପ୍ରତିରୋପଣ କରି କିମ୍ସ ରେକର୍ଡ କରିଛି। ଦକ୍ଷ ବିଶେଷଜ୍ଞ ଓ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ସହ ଉନ୍ନତ ଯନ୍ତ୍ରପାତି ସହଯୋଗରେ କିମ୍ସ ସଫଳତାର ସହ ଯକୃତ ପ୍ରତିରୋପଣ କରିଚାଲିଛି।
ହାଇଦ୍ରାବାଦର ପ୍ରସିଦ୍ଧ ଏଆଇଜି ହସପିଟାଲ ସହଯୋଗରେ କିମସ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ ୟୁନିଟ୍ କ୍ଲିନିକାଲ୍ ଦକ୍ଷତା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ପ୍ରମାଣ ଭିତ୍ତିକ ପ୍ରୋଟୋକଲଗୁଡ଼ିକୁ ସମନ୍ୱିତ କରି ସାମଗ୍ରିକ ଏବଂ ରୋଗୀ-କୈନ୍ଦ୍ରିକ ସେବା ପ୍ରଦାନ କରିଥାଏ। ଫଳରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଦୂରଦୂରାନ୍ତକୁ ନଯାଇ ଅତି ନିକଟରେ ଉନ୍ନତ ସେବା ପାଇ ପାରୁଛନ୍ତି।
ଏ ନେଇ ବରିଷ୍ଠ ସର୍ଜନ ଡା ସତ୍ୟ ପ୍ରକାଶ ରାୟ ଚୌଧୁରୀ ସୂଚନା ଦେଇଛନ୍ତି, ଯକୃତ ପ୍ରତିରୋପଣ କ୍ଷେତ୍ରରେ ଓଡ଼ିଶାରେ ଏକ ଅଗ୍ରଣୀ ଅନୁଷ୍ଠାନରେ ପରିଣତ ହୋଇଛି କିମ୍ସ। କିମ୍ସରେ ସର୍ବାଧିକ ଯକୃତ ପ୍ରତିରୋପଣ ସହ ଓଡ଼ିଶାର ପ୍ରଥମ କାଡାଭେରିକ୍ ଯକୃତ ପ୍ରତିରୋପଣ, ପ୍ରଥମ ଶିଶୁ ଯକୃତ ପ୍ରତିରୋପଣ ଓ ପ୍ରଥମ ଲାପାରୋସ୍କୋପିକ୍ ଡୋନର ହେପାଟେକ୍ଟୋମି ସମେତ କିମ୍ସ ଅନେକ ପ୍ରଥମ ସଫଳତା ହାସଲ କରିଥିବା ଡା. ରାୟ ପ୍ରକାଶ କରିଛନ୍ତି।
ଏହି ସଫଳତାଗୁଡ଼ିକ କେବଳ ଶଲ୍ୟ ଚିକିତ୍ସାର ଉତ୍କର୍ଷତାକୁ ପ୍ରତିଫଳିତ କରେ ନାହିଁ ବରଂ ନବସର୍ଜନା, ଅଙ୍ଗଦାତା ସୁରକ୍ଷା ଏବଂ ନୀତିଗତ ପ୍ରତିରୋପଣ ଅନୁଶୀଳନ ପ୍ରତି ମଧ୍ୟ ପ୍ରତିଫଳିତ କରେ। ପୂର୍ବରୁ ଉନ୍ନତ ଯକୃତ ପ୍ରତିରୋପଣ ଦିଲ୍ଲୀ, ମୁମ୍ବାଇ ଆଦି ସହରକୁ ଯିବାକୁ ପଡ଼ୁଥିଲା। ଏବେ କିମ୍ସରେ ଉନ୍ନତ ଯନ୍ତ୍ରପାତି ସୁବିଧା, ଅନୁଭୂତି ସମ୍ପନ୍ନ ଦକ୍ଷ ବିଶେଷଜ୍ଞ ଓ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ପାଇଁ କିମ୍ସରେ ସଫଳ ଯକୃତ ପ୍ରତିରୋପଣ ହୋଇପାରୁଛି। ଏଥିରେ ଲିଭର ସିରୋସିସ୍, ଲିଭର ଫେଲ୍ୟୁଅର ଓ ଲିଭର କର୍କଟ ସମେତ ଜଟିଳ ଯକୃତ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଉନ୍ନତ ସେବା ଯୋଗାଇ ଦିଆଯାଇପାରୁଛି।
ଏହି ପ୍ରକ୍ରିୟାରେ ଯକୃତର ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସାଠାରୁ ଆରମ୍ଭ କରି ଉନ୍ନତ ଶଲ୍ୟଚିକିତ୍ସା ତଥା ପ୍ରତିରୋପଣ ପରବର୍ତ୍ତୀ ଦୀର୍ଘ କାଳୀନ ଯତ୍ନ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। କିମ୍ସ ଯକୃତ ପ୍ରତିରୋପଣ ଦଳରେ ଅଭିଜ୍ଞ ହେପାଟୋଲୋଜିଷ୍ଟ, ପ୍ରତିରୋପଣ ସର୍ଜନ, ଆନାସ୍ଥେସିଓଲୋଜିଷ୍ଟ, ଇଣ୍ଟେନ୍ସିଭିଷ୍ଟ, ରେଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ପ୍ରତିରୋପଣ ସଂଯୋଜକ ଓ ଉତ୍ସର୍ଗୀକୃତ ନର୍ସିଂ କର୍ମଚାରୀ ଅଛନ୍ତି। ଏହା ସହ ଏହି ବ୍ୟବସ୍ଥାରେ ଉନ୍ନତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍, ଆଧୁନିକ ଅସ୍ତ୍ରୋପଚାର ଥିଏଟର ଓ ବ୍ୟାପକ ଡାଇଗ୍ନୋଷ୍ଟିକ୍ ସୁବିଧା ରହିଛି।