ନୂଆଦିଲ୍ଲୀଠାରେ ‘ଓଡ଼ିଶା ପର୍ବ’ରେ ଯୋଗ ଦେଲେ ରାଜ୍ୟପାଳ
ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସାମୁହିକ ଭାବେ ସଂକଳ୍ପ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱର, ୧୫/୦୩: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ପର୍ବ–୨୦୨୬ରେ ଯୋଗଦେଇ ଓଡ଼ିଶା ୨୦୩୬ ମସିହାରେ ରାଜ୍ୟ ଗଠନର ଶତବାର୍ଷିକୀ ପୂର୍ତ୍ତି ଆଡ଼କୁ ଗତି କରୁଥିବା ବେଳେ ସମୃଦ୍ଧ, ସମାବେଶୀ ଓ ଅଗ୍ରଗାମୀ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସାମୁହିକ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ୨୦୩୬ ବର୍ଷ କେବଳ ଓଡ଼ିଶାର ଐତିହାସିକ ଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ ନୁହେଁ ବରଂ ରାଜ୍ୟର ଉପଲବ୍ଧିଗୁଡ଼ିକୁ ସ୍ମରଣ କରି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖି ଆହୁରି ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାର ସୁଯୋଗ ମଧ୍ୟ ହେବ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ଯୋଗଦେବା ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ। ଏହି ପର୍ବ ନୂଆଦିଲ୍ଲୀରେ ଓଡ଼ିଶାର ଆତ୍ମା, ଚେତନା ଓ ସାଂସ୍କୃତିକ ସମୃଦ୍ଧିକୁ ପ୍ରଦର୍ଶନ କରିବାର ଏକ ପ୍ରକୃଷ୍ଟ ମଞ୍ଚ ଭାବେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ଏହି ଉତ୍ସବ ଏକ ଅନନ୍ୟ ଆୟୋଜନରେ ପରିଣତ ହୋଇଛି ଯେଉଁଥିରେ କଳା, ସଂସ୍କୃତି, ଐତିହ୍ୟ, ଉଦ୍ୟମିତା ଓ ବିଶ୍ଵବ୍ୟାପୀ ରହୁଥିବା ଓଡ଼ିଆମାନଙ୍କର ସାମୂହିକ ପରିଚୟ ଏକତ୍ର ହୋଇଥାଏ ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ।
ଚଳିତ ବର୍ଷର ବିଷୟବସ୍ତୁ “ସଂସ୍କୃତି ଓ ପ୍ରକୃତି” ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏହା ଓଡ଼ିଶାର ଅନନ୍ୟ ଚରିତ୍ରକୁ ସୁନ୍ଦର ଭାବେ ପ୍ରତିଫଳିତ କରିପାରିଛି ଯେଉଁଠାରେ ସଂସ୍କୃତି ଓ ପ୍ରକୃତିର ସମନ୍ୱୟ ଘଟିଛି। ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପ୍ରଦର୍ଶନୀ, ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଦର୍ଶନ, ପାରମ୍ପରିକ ସଙ୍ଗୀତ, ଖାଦ୍ୟ ପରମ୍ପରା ଏବଂ ବୁଦ୍ଧିଜୀବୀ ଆଲୋଚନା ମାଧ୍ୟମରେ ଏହି ପର୍ବ ଦର୍ଶକମାନଙ୍କୁ ଓଡ଼ିଶାର ଜୀବନ୍ତ ଜୀବନଧାରା ଓ ସମୃଦ୍ଧ ଐତିହ୍ୟର ଏକ ଦୃଶ୍ୟ ପ୍ରଦାନ କରିପାରିଛି।
ନୂଆଦିଲ୍ଲୀର ଓଡ଼ିଆ ସମାଜକୁ ଏହି ଉତ୍ସବର ସଫଳ ଆୟୋଜନ ପାଇଁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ଓ ବିଶ୍ୱସ୍ତରରେ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରିଚୟକୁ ପ୍ରଚାର ପ୍ରସାର କରିବାରେ ଅନୁଷ୍ଠାନର ସମର୍ପିତ ପ୍ରୟାସକୁ ପ୍ରଶଂସା କରିଥିଲେ।
ଓଡ଼ିଶାର ସମୃଦ୍ଧ ସଭ୍ୟତାଗତ ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ରାଜ୍ୟର ପରିଚୟ ମହାପ୍ରଭୁ ଜଗନ୍ନାଥଙ୍କଠାରେ ଗଭୀର ଭାବେ ନିହିତ ଯାହା ସମାନତା, ସମାଵେଶୀ ଓ ବିଶ୍ୱଭ୍ରାତୃତ୍ୱର ସନ୍ଦେଶ ଦେଇ ପିଢ଼ୀ ପରେ ପିଢ଼ୀକୁ ପ୍ରେରିତ କରିଆସିଛି।
ରାଜ୍ୟର ବୌଦ୍ଧିକ ଓ ସାଂସ୍କୃତିକ ପରିସରକୁ ଗଢ଼ି ତୋଳିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କର ଅମୂଲ୍ୟ ଅବଦାନକୁ ରାଜ୍ୟପାଳ ନିଜ ଉଦବୋଧନରେ ଅବତାରଣା କରିଥିଲେ।
ଏତତବ୍ୟତୀତ ଓଡ଼ିଶା ନିଜ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ଶିକ୍ଷା, ନବସୃଜନ ଓ ଆର୍ଥିକ ସୁଯୋଗର ଏକ କେନ୍ଦ୍ର ଭାବେ ଅଗ୍ରସର ହେଉଛି ଏବଂ ଭାରତର ପ୍ରଗତି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାର ଅପାର ସମ୍ଭାବନା ରଖିଛି ବୋଲି ରାଜ୍ୟପାଳ କହିଥିଲେ ।