ଏସସିବି ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬/୦୩: କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ଜୀବନହାନି ନେଇ ଗଭୀର ମର୍ମାହତ ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ସହ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ୍‌(PMNRF)ରୁ ମିଳିବ ସହାୟତା ରାଶି। ଦୁଃଖଦ ଘଟଣାରେ ଅତି ମର୍ମାହତ ବୋଲି କହିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।