ଉପାସନାଙ୍କ ଭୋଟକୁ ନେଇ ବିବାଦ, ଅସାମ୍ବିଧାନିକ କହି ବର୍ଷିଲେ ନବୀନ

ପୁନଃ ନିର୍ବାଚନ ଦାବି କଲେ ବିଧାୟକ

ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ପାଇଁ ନିର୍ବାଚନ ଚାଲିଥିବା ବେଳେ ଭୋଟ ଦେଉଛନ୍ତି ବିଧାୟକ। ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ବାଲଟ ପେପରରେ ଓଭର ରାଇଟିଂ (Overwriting)କୁ ନେଇ ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଉତ୍ତେଜନା ସୃଷ୍ଟି ହେବାରୁ ପ୍ରାୟ ଅଧ ଘଣ୍ଟା ପାଇଁ ଭୋଟଦାନ ପ୍ରକ୍ରିୟା ସ୍ଥଗିତ ରହିଥିଲା। କିନ୍ତୁ ପରେ ଭୋଟ ଦେଇଥିଲେ ଉପାସନା।

ହେଲେ ଉପାସନାଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ଅଭିଯୋଗ କରିଛନ୍ତି। ନବୀନ କହିଛନ୍ତି, ‘ବିଧାୟିକା ଉପାସନା ଭୋଟଦାନରେ ତ୍ରୁଟି କରିଛନ୍ତି। ଯେଉଁ ଅଧିକାରୀ ସେଠାରେ ଥିଲେ ନିୟମ ଉଲ୍ଲଙ୍ଘନ କରିଛନ୍ତି।ବେଆଇନ ଭାବେ ତାଙ୍କୁ ଦ୍ବିତୀୟ ବାଲଟ୍‌ ଦେଇଛନ୍ତି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ। ଏହା ଅସାମ୍ବିଧାନିକ। ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଛି।

ସେପଟେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଧ୍ୟ ବିରୋଧ କରି କହିଛନ୍ତି, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ନିର୍ବାଚନ ଅଧିକାରୀ ଖୋଲା ଉଲ୍ଲଂଘନ କରି ତାଙ୍କୁ ଦ୍ୱିତୀୟ ବାଲଟ୍ ଦେଇଛନ୍ତି।

ସେହିପରି ବିଧାୟକ ଗଣେଶ୍ୱର ବେହେରା ପୁନଃ ନିର୍ବାଚନ ଦାବି କରିଛନ୍ତି। ଏପରି କରିବା ଅସାମ୍ବିଧାନିକ। ଏହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ ଏବଂ ପୁଣି ଆଉ ଥରେ ନିର୍ବାଚନ କରାଯାଉ।