ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଚୈତ୍ର ନବରାତ୍ରୀ ପ୍ରସ୍ତୁତି

ସମ୍ପନ୍ନ ହେଲା ଖଣ୍ଡାଧୁଆ ଓ କଳସ ଆବାହନ

ବରଗଡ଼, ୧୮/୦୩: ଧର୍ମକ୍ଷେତ୍ର ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ରୀ ପୂଜା ପାଇଁ ଶୁଭାରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ‘ଖଣ୍ଡାଧୁଆ’ ଏବଂ ‘କଳସ ଆବାହନ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିପୂତ ପରିବେଶରେ ସମ୍ପନ୍ନ ହୋଇଯାଇଛି।

ମନ୍ଦିରର ପୂଜକ ଓ ସେବାୟତମାନେ ଶୁଦ୍ଧପୂତ ଭାବେ ମା’ଙ୍କର ପାରମ୍ପରିକ ଅସ୍ତ୍ର ‘ଖଣ୍ଡା’କୁ ଏକ ବର୍ଣ୍ଣାତ୍ୟ ଶୋଭାଯାତ୍ରାରେ ଜିରା ନଦୀ ଜଳାଶୟର ପବିତ୍ର ଜଳ ରେ ସ୍ନାନ କରାଇବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ତ୍ରୋଚାରଣ ପୂର୍ବକ ଘଟ ସ୍ଥାପନ ଓ କଳସ ଆବାହନ କରାଯାଇ ନବରାତ୍ରୀର ନଅ ଦିନିଆ ପୂଜା ପାଇଁ ସଂକଳ୍ପ କରାଯାଇଛି।

ମା’ଙ୍କର ଏହି ଦୁର୍ଲଭ ନୀତିକାନ୍ତି ଦର୍ଶନ ପାଇଁ ମନ୍ଦିର ପ୍ରାଙ୍ଗଣରେ ଯେତିକି ଶ୍ରଦ୍ଧାଳୁଙ୍କ ଭିଡ଼ ଥିଲା ତାଠାରୁ ଅଧିକ ରାଜରାସ୍ତାରେ କଳସ ଶୋଭାଯାତ୍ରା ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । “ଜୟ ମା’ ସମଲେଇ” ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ନବରାତ୍ରୀ ସମୟରେ ମା’ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବାର ବିଧି ରହିଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି।

ବରଗଡ଼ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଚୈତ୍ର ନବରାତ୍ରୀର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ମା’ଙ୍କ ଆଶୀର୍ବାଦରୁ ସାରା ଜଗତର କଲ୍ୟାଣ ହେଉ, ଏହି କାମନା ନେଇ ପୂଜା କାର୍ଯ୍ୟ ପରିଚାଳିତ ହେଉଛି।