ଭବିଷ୍ୟତର ତୀରନ୍ଦାଜ ସୃଷ୍ଟି କରୁଛି ଓଡ଼ିଶା ଟାଟା ଆର୍ଚେରୀ ହାଇ ପରଫର୍ମାନ୍ସ ସେଣ୍ଟର

କେନ୍ଦୁଝର ଓ ମୟୂରଭଞ୍ଜ ସାଜିଛି ଭାରତୀୟ ଧନୁର୍ବିଦ୍ୟାର ନୂଆ ପେଣ୍ଠସ୍ଥଳ। ଓଡ଼ିଶା ସରକାରଙ୍କ ସହଭାଗିତାରେ ତୃଣମୂଳ ସ୍ତରରେ ପ୍ରତିଭା ଅନ୍ୱେଷଣ ସହ ଦିଆଯାଉଛି ପ୍ରଶିକ୍ଷଣ।

ମାର୍ଚ୍ଚ ୨୫ରୁ ‘ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ ୨୦୨୬’ ଓ ଜାତୀୟ ଆର୍ଚେରୀ ଚାମ୍ପିଅନସିପରେ ଭାଗନେବେ ଏହି କେନ୍ଦ୍ରର ତୀରନ୍ଦାଜ

ଭୁବନେଶ୍ୱର, ୨୦/୦୩: ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଧନୁ ଓ ତୀର କେବଳ ଏକ ଅସ୍ତ୍ର ନୁହେଁ, ବରଂ ଏହା ସେମାନଙ୍କ ସଂସ୍କୃତି, ଜୀବିକା ଏବଂ ପରିଚୟ ସହ ଜଡ଼ିତ। ଆଜି ସେହି ପାରମ୍ପରିକ ଦକ୍ଷତାକୁ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଭାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଟାଟା ଷ୍ଟିଲ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କେନ୍ଦୁଝରଠାରେ ପ୍ରତିଷ୍ଠିତ ‘ଓଡ଼ିଶା ଟାଟା ଆର୍ଚେରୀ ହାଇ ପରଫର୍ମାନ୍ସ ସେଣ୍ଟର’ (ଓଟିଏଏଚ୍‌ପିସି) ଏବେ ଦେଶର ଭବିଷ୍ୟତର ତୀରନ୍ଦାଜମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଛି।

କେନ୍ଦୁଝରର ଶଙ୍କରପୁରଠାରେ ଅବସ୍ଥିତ ଏହି କେନ୍ଦ୍ର ୨୦୨୪ ଏପ୍ରିଲରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଜାମସେଦପୁରଠାରେ ଟାଟା ଆର୍ଚେରୀ ଏକାଡେମୀ ପ୍ରତିଷ୍ଠା ହୋଇଥିଲା, ଯାହା ଭାରତର ପ୍ରଥମ ସଂଗଠିତ ଧନୁର୍ବିଦ୍ୟା ପ୍ରଶିକ୍ଷଣ କେନ୍ଦ୍ର ଭାବେ ଜଣାଶୁଣା।

ଓଡ଼ିଶାରେ ଧନୁର୍ବିଦ୍ୟାର ବିକାଶକୁ ଆହୁରି ସୁଦୃଢ଼ କରିବା ପାଇଁ ୨୦୨୩ ଡିସେମ୍ବର ମାସରେ ଟାଟା ଷ୍ଟିଲ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ସହଭାଗିତାର ମୁଖ୍ୟ ଲକ୍ଷ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ସୁସଂଗଠିତ ପ୍ରତିଭା ଅନ୍ୱେଷଣ ପ୍ରକ୍ରିୟା ମାଧ୍ୟମରେ ତୃଣମୂଳସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚକୋଟିର ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଟାଟା ଷ୍ଟିଲ୍‌ର କ୍ରୀଡ଼ା ବିଭାଗ ଚିଫ୍ ମୁକୁଲ ବିନାୟକ ଚୌଧୁରୀଙ୍କ କହିବା ଅନୁଯାୟୀ, ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଆଥଲେଟ୍‌ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ଏବଂ ଦେଶ ପାଇଁ ଗୌରବ ଆଣିବା ଭଳି ଏକ ଶକ୍ତିଶାଳୀ ପାଇପ୍‌ଲାଇନ୍ ପ୍ରସ୍ତୁତ କରିବା। ଏହିଭଳି ଭାବେ କେନ୍ଦୁଝରର ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ମୟୂରଭଞ୍ଜର ତୃଣମୂଳ କେନ୍ଦ୍ର ମିଳିତ ଭାବେ ଓଡ଼ିଶାକୁ ବିଶ୍ୱ ଧନୁର୍ବିଦ୍ୟା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଏବେ କେନ୍ଦୁଝର ଜିଲ୍ଲାର ଶଙ୍କରପୁର ସ୍ଥିତ ଏହି ହାଇ-ପରଫର୍ମାନ୍ସ ସେଣ୍ଟରରେ ଦୁର୍ଗମ ଅଞ୍ଚଳରୁ ଚୟନ ହୋଇଥିବା ୨୪ ଜଣ କ୍ୟାଡେଟ୍ (୧୨ ବାଳକ ଓ ୧୨ ବାଳିକା) ଅଭ୍ୟାସ କରୁଛନ୍ତି। ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି କେନ୍ଦ୍ରର ତୀରନ୍ଦାଜମାନେ ରାଜ୍ୟ ଓ ଜାତୀୟସ୍ତରରେ ୨୦ଟି ପଦକ ଜିତିବାରେ ସଫଳ ହୋଇଛନ୍ତି, ଯେଉଁଥିରେ ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ସାମିଲ ରହିଛି। ଏହି କେନ୍ଦ୍ରର୧୪ ଜଣ କ୍ରୀଡ଼ାବିତ୍ ଜାତୀୟସ୍ତରୀୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଛନ୍ତି।

ଆଗାମୀ ଦିନରେ ଏହି କ୍ୟାଡେଟ୍‌ମାନେ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ନିଜର କଳା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ‘ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ ୨୦୨୬’ ଏବଂ ମାର୍ଚ୍ଚ ୨୬ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ହେବାକୁ ଥିବା ‘ଅଣ୍ଡର-୧୦, ୧୩ ଓ ୧୫ ବର୍ଗର ଜାତୀୟ ଆର୍ଚେରୀ ଚାମ୍ପିଅନସିପ୍‌’ରେ ଓଡ଼ିଶାର ଏହି ପ୍ରତିଭାମାନେ ଅଂଶଗ୍ରହଣ କରିବେ।

ଏହି ସଫଳତା ପଛରେ ମାଲକାନଗିରିର ଅର୍ଜୁନ ଖରା ଏବଂ ଯାଜପୁରର ସୀତା ହେମ୍ବ୍ରମଙ୍କ ଭଳି ଅନେକ ସଂଘର୍ଷର କାହାଣୀ ରହିଛି, ଯେଉଁମାନେ ଆର୍ଥିକ ଅନଟନ ଓ ପାରିବାରିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଜି ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ମାଲକାନଗିରିର ଏକ ନକ୍ସଲ ପ୍ରଭାବିତ ଗାଁର ଚାଷୀ ପରିବାରରୁ ଆସିଥିବା ୨୨ ବର୍ଷୀୟ ଯୁବକ ଅର୍ଜୁନ ଖରା ଦିନେ କ୍ରୀଡ଼ା କ୍ଷେତ୍ରରେ ନିଜର ଭବିଷ୍ୟତ ବିଷୟରେ କଳ୍ପନା ମଧ୍ୟ କରିନଥିଲେ। କିନ୍ତୁ ଆଜି ପ୍ରଫେସନାଲ କୋଚିଂ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇ ସେ ଜାତୀୟସ୍ତରରେ ନିଜର ପରାକାଷ୍ଠା ଦେଖାଇବା ସହ ଭାରତର ପ୍ରତିନିଧିତ୍ୱ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେହିପରି ଯାଜପୁରର ୧୬ ବର୍ଷୀୟା ସୀତା ହେମ୍ବ୍ରମ, ଅଳ୍ପ ବୟସରୁ ପିତାମାତାଙ୍କୁ ହରାଇବା ପରେ ସାନ ଭଉଣୀର ଦେଖାଶୁଣା ଦାୟିତ୍ୱ ବି ତୁଲାଉଛନ୍ତି। ସେ ଧନୁର୍ବିଦ୍ୟା ମାଧ୍ୟମରେ ନିଜ ଜୀବନର ଏକ ନୂଆ ଉଦ୍ଦେଶ୍ୟ ଖୋଜି ପାଇଛନ୍ତି। ସେ ନିଜର ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଏକ ବଡ଼ ସଫଳତାର ସ୍ୱପ୍ନରେ ପରିଣତ କରିଛନ୍ତି। କେନ୍ଦୁଝର କେନ୍ଦ୍ରରେ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଟାଟା ଷ୍ଟିଲ୍ ଏହି ସମୟରେ ତୃଣମୂଳ ସ୍ତରରୁ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ମଧ୍ୟ କାର୍ଯ୍ୟ କରୁଛି।

ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରଠାରେ ଏସଏଲଏସ ସ୍କୁଲ ସହଯୋଗରେ ୨୦୨୫ ମେ ମାସରୁ ଏକ ‘ଆର୍ଚେରୀ ଫିଡର୍ ସେଣ୍ଟର’ ସ୍ଥାପନ କରାଯାଇଛି। ଏଠାରେ ୧୨ ବର୍ଷରୁ କମ୍ ବୟସର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଆଧୁନିକ କୌଶଳ ସହ ଶୃଙ୍ଖଳା, ଟିମ୍‌ୱାର୍କ ଓ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ଶିକ୍ଷା ଦିଆଯାଉଛି।