୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ
୫ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା
ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନମାନଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୧/୦୩: ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ ।
ହାର ଜିତ ତ ସବୁ ଖେଳାଳୀ ଜୀବନରେ ଆସିଥାଏ, କିନ୍ତୁ ପ୍ରକୃତ ଜୀବନର ସଂଘର୍ଷକୁ ଜିତିଯାଇଥିବା ବିଜେତା ହେଉଛନ୍ତି ଆପଣମାନେ । କାରଣ ଆପଣ ମାନେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବୋଧନ କରି କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଆଥଲେଟ ମାନଙ୍କୁ ଆଗାମୀ ଏସିଆନ ପାରା ଗେମ୍ସ ରେ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ ଏବଂ ଏହି ଅବସରରେ ଓଡିଶା କଣ୍ଟିଜେଣ୍ଟର ୪୦ଜଣ ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ ।
ନିଜ ଅଭିଭାଷଣରେ ଅଲିମ୍ପିକ ପଦକ ବିଜେତା ପ୍ରମୋଦ ଭଗତ ଓ ଭି. ରମେଶ ରାଓଙ୍କ ପରି କ୍ରୀଡାବିତଙ୍କ ପଥ ଅନୁସରଣ କରି ଉତ୍କର୍ଷ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କ୍ରୀଡ଼ାବିତ ମାନଙ୍କୁ କହିଥିଲେ ।
ସେ ଆହୁରି କହିଥିଲେ ଯେ ସଫଳତା ଆପଣମାନଙ୍କୁ ଅପେକ୍ଷା କରି ରହିଛି । ଆପଣଙ୍କୁ କେହି ଅଟକେଇ ପାରିବେ ନାହିଁ ।
ଆଜି ଯେଉଁ ଓଡିଆ ଆଥଲେଟମାନେ ସଫଳତା ହାସଲ କରିଛନ୍ତି, ମେଡାଲ ପାଇଛନ୍ତି, ସେମାନେ ତାଙ୍କର ଉଦ୍ୟମ ଜାରି ରଖନ୍ତୁ, ବିଶ୍ୱସ୍ତରରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରନ୍ତୁ । ବିଶ୍ୱରେ ଓଡିଶାର ପ୍ରତିଭାକୁ ନୂଆ ପରିଚୟ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇ କହିଥିଲେ ।
ଆଜି ବିଶ୍ୱର କ୍ରୀଡା ମାନଚିତ୍ରରେ ଓଡିଶା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି। ଆମକୁ ଆଉ ଏକ ସୁନ୍ଦର ସୁଯୋଗ ମିଳିଛି କାରଣ World Indoor Athletics Championships-2028 ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
ଓଡିଶାରେ କ୍ରୀଡାର ଉନ୍ନତି ପାଇଁ ଭିତ୍ତିଭୂମି ବିକାଶ, କ୍ରୀଡା ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାର ଆୟୋଜନ ପାଇଁ ଆମର ଉଦ୍ୟମ ଜାରି ରହିବ। ଭାରତ ତଥା ଓଡିଶାରେ କ୍ରୀଡାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସବୁ ସମୟରେ ସହଯୋଗ ଓ ସହାୟତା ଦେଇଆସିଛନ୍ତି ସେଥିପାଇଁ ଅନେକ ଅନେକ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନା ଯୋଗ୍ୟ ଯେ ଉକ୍ତ ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟର ୧୪୬୦ ଜଣ ପାରା-ଆଥଲେଟ୍ ଭାଗ ନେଇଥିଲେ।
ଆଜି ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଦଳ ଭାବେ ହରିୟାଣା (ପ୍ରଥମ) (୯୫ଟି ମେଡାଲ), ତାମିଲନାଡ଼ୁ (ଦ୍ଵିତୀୟ)(୫୧ଟି ମେଡାଲ ), ଏବଂ ଗୁଜୁରାଟ (ତୃତୀୟ) (୩୦ଟି ମେଡାଲ)ଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ସ୍ତରରେ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ଚମ୍ପିୟନସିପ୍ ରେ ଓଡ଼ିଶା ୫ଟି ସ୍ବର୍ଣ୍ଣ ପଦକ ସହିତ ସମୁଦାୟ ୧୭ଟି ମେଡାଲ ପାଇଛି ।
କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ବିଭାଗ ସଚିବ ଶ୍ରୀ ସଚିନ ଆର ଯାଦବ, ପାରାଲିମ୍ପିକ କମିଟି ସାଧାରଣ ସମ୍ପାଦକ ଶ୍ରୀ ଜୟୱାନ୍ତ G. H., ପାରା ଆଥଲେଟିକ୍ସ , ପ୍ରେସିଡେଣ୍ଟଶ୍ରୀ ସତ୍ୟନାରାୟଣ, ପାରା ସ୍ପୋର୍ଟ୍ସ ଆସୋସିଏସନ ଅଫ୍ ଓଡିଶାର ଅଧ୍ୟକ୍ଷ ଶ୍ରୀ କମଳାକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।