ପୋଲିସ ବିରୋଧରେ ଥାନାକୁ ଗଲେ ନର୍ଲା ବିଧାୟିକା

କବାଟ ଝରକା ଭାଙ୍ଗି ପଶିବା ସହ ଝିଅ ଓ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ

କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ

କେସିଙ୍ଗା, ୩୧/୦୩: କେସିଙ୍ଗା ପୋଲିସ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ନର୍ଲା ବିଧାୟିକା ମନୋରମା ମହାନ୍ତି। କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ କରିଛନ୍ତି। ବିନା ଅନୁମତିରେ ପୋଲିସ ଘରେ ପ୍ରବେଶ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଘରେ ନ ଥିବା ବେଳେ କବାଟ ଝରକା ଭାଙ୍ଗି ପଶିବା ସହ ଝିଅ ଓ ମହିଳା ସହକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ଅନୁମତି ନ ନେଇ କିମିତି ପଶିଲା ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ବିଧାୟିକା।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ କ୍ୱାଟର୍ସରେ ପୋଲିସ ଚଢ଼ାଉ କରିଥିଲା। ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନାଁରେ ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗରେ ତାଙ୍କୁ ଖୋଜିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲା କେସିଙ୍ଗା ପୋଲିସ। କିନ୍ତୁ ଏ ସମୟରେ ବିଧାୟିକା ଓ ତାଙ୍କ ସ୍ୱାମୀ କ୍ୱାଟର୍ସରେ ନଥିବା ବେଳେ ତାଙ୍କ ଝିଅ ଓ ଘରୋଇ ସହାୟିକା ଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ବିଜେଡ଼ିର କିଛି ନେତା। ଯାହା ପରେ ବିଜେଡ଼ି ସିଧା ଟାର୍ଗେଟ କରିଥିଲା ଶାସକ ଦଳକୁ। ଶାସକ ଦଳର ନିର୍ଦ୍ଦେଶରେ ପୋଲିସ ଏପରି କରିଥିବା ଅଭିଯୋଗ କରିଥିଲେ ବିଧାୟିକା ମନୋରମା ମହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ଫୋନ୍‌ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ ବିଧାୟିକାଙ୍କ ସ୍ୱାମୀ। ହତ୍ୟା ଧମକ ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତହସିଲଦାରଙ୍କ ଲିଖିତ ଅଭିଯୋଗ କ୍ରମେ ମାମଲା କରିଥିଲା ପୋଲିସ। ବର୍ତ୍ତମାନ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଧମକ ଦେବାରୁ ଏକ ଅଡ଼ିଓ କଲ ବି ସାମନାକୁ ଆସିଛି।