କଟକ, ୩୧/୦୩: ହାଇକୋର୍ଟ ଭିତରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ବାହାରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି। ଗୋଟିଏ ଟି ଦୁଇଟି ନୁହେଁ, ଏକାଥରକେ ୪ଟି ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଗଲା। ଗୋଟିଏ ସ୍କର୍ପିଓରେ ପ୍ରଥମେ ନିଆଁ ଲାଗିଥିବା ବେଳେ ତାହା ପାଖରେ ଥିବା ଅନ୍ୟ ଗାଡ଼ିକୁ ମଧ୍ୟ ବ୍ଯାପିଗଲା। ଏଥିରେ ଏକ ସ୍କର୍ପିଓ, ତିନୋଟି ବାଇକ୍ ପୋଡ଼ି ଯାଇଛି। ଭିତରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ବାହାରେ ଏପରି କାର୍ଯ୍ୟ ଘଟିବା କେହି କଳ୍ପନା ବି କରିନଥିବେ।
ତେବେ ଏହି ଘଟଣାର ମୁଖ୍ୟ ସୂତ୍ରଧାର ଥିବା ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ। ନିଆଁ ଲଗାଇଥିବା କଥାକୁ ମହିଳା ଜଣକ ସ୍ବୀକାର କରିଛନ୍ତି। କିନ୍ତୁ କାହିଁକି ନିଆଁ ଲଗାଇଥିଲେ ତାଙ୍କ କଥାରେ ତାଳମେଳ ରହୁ ନାହିଁ।
ମହିଳାଜଣକ ପେଟ୍ରୋଲ ଧରି ନିଆଁ ଲଗାଇବା ବେଳର ଭିଡିଓ ମଧ୍ୟ ସାମନାକୁ ଆସିଛି। ସେ ଗାଡ଼ିରେ ନିଆଁ ଲଗାଇବା ସହ ହାଇକୋର୍ଟ ପରିସରକୁ ନିଆଁ ଫିଙ୍ଗୁଥିବାର କ୍ୟାମେରାରେ କଏଦ ହୋଇଛି। ଏପରିକି ସେ ପାଖ ଏକ ଦୋକାନରେ ତାଙ୍କ ମୋବାଇଲ ଧରାଇ ଭିଡ଼ିଓ କରିବା ପାଇଁ କହିଥିଲେ।
ତେବେ ତାଙ୍କ କଥାରେ ତାଳମେଳ ରହୁନଥିବାରୁ ସେ କାହିଁକି ନିଆଁ ଲଗାଇଲେ, ତାହା ସ୍ପଷ୍ଟ ଜଣାପଡିନାହିଁ। କିନ୍ତୁ ସେ ନିଆଁ ଲଗାଇବା ପାଇଁ ଦୋକାନରୁ ପେଟ୍ରୋଲ, ଡିଆସିଲି, କର୍ପୁର, ଝୁଣା କିଣି ଆଣିଥିବା କହିଛନ୍ତି।
ପୋଡ଼ି ଯାଇଥିବା ଏକ ଗାଡ଼ି ମାଲିକ କହିଛନ୍ତି, ଗ୍ରୁପ ମେସେଜ୍ ଦେଖି ମୁଁ ଗାଡ଼ି ପୋଡ଼ି ଯାଇଥିବା ଖବର ଜାଣିବାକୁ ପାଇଲି। ଆସି ଦେଖିଲା ବେଳକୁ ମୋ ଗାଡ଼ି ସଂପୂର୍ଣ୍ଣ ଜଳିଯାଇଛି। ଏହାର ତଦନ୍ତ ନିହାତି ହେବା ଦରକାର।