ଏମ୍.ସି.ଏଲରେ ପାଳିତ ହେଲା ୩୫ତମ ପ୍ରତିଷ୍ଠା ଦିବସ
“ଷ୍ଟାର ନାଇଟ୍” କାର୍ଯ୍ୟକ୍ରମରେ ମନ୍ତ୍ରମୁଗ୍ଧ କଲା ସୋନୁ ନିଗମଙ୍କ ଗୀତ
ସମ୍ବଲପୁର, ୦୪/୦୪: ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ଚମତ୍କାର ପ୍ରଦର୍ଶନକୁ ପାଳନ କରି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍) ଶୁକ୍ରବାର ଦିନ ଏହାର ୩୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି।
ଏହି ଅବସରରେ କମ୍ପାନୀ ମୁଖ୍ୟାଳୟରେ “ରନ୍ ଫର୍ ଏକ୍ସେଲେନ୍ସ” ରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମସ୍ତ ନିର୍ଦ୍ଦେଶକ, ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି), କର୍ମଚାରୀ ଏବଂ ସେମାନଙ୍କ ପରିବାର ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏମ୍.ସି.ଏଲର ସିଏମଡି ଶ୍ରୀ ଉଦୟ ଅନନ୍ତ କାଓଲେ କମ୍ପାନୀର ୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍.ସି.ଏଲ୍ ପରିବାରକୁ ଶୁଭେଚ୍ଛା ଜଣାଇବା ସହିତ ୨୦୨୫-୨୬ ଆର୍ଥିକ ବର୍ଷରେ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଅତ୍ୟନ୍ତ ଆନନ୍ଦ ଏବଂ ସନ୍ତୋଷର ବିଷୟ ଯେ ଆମର କମ୍ପାନୀ ଭଲ ପ୍ରଦର୍ଶନ ଜାରି ରଖିଛି ଏବଂ ଦେଶର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
କମ୍ପାନୀର ପୂର୍ବତନ ନେତୃତ୍ଵଙ୍କ ଅବଦାନ ପାଇଁ କୃତଜ୍ଞତା ବ୍ୟକ୍ତ କରି ଶ୍ରୀ କାଓଲେ ଦେଶର ଶକ୍ତି ଆବଶ୍ୟକତା ପୂରଣରେ ଏମ୍.ସି.ଏଲକୁ ନିରନ୍ତର ସମର୍ଥନ ପାଇଁ କୋଇଲା ମନ୍ତ୍ରଣାଳୟ, କୋଲ ଇଣ୍ଡିଆ, ଓଡ଼ିଶା ରାଜ୍ୟ ପ୍ରଶାସନ, ଜନ ପ୍ରତିନିଧି ଏବଂ ଟ୍ରେଡ ୟୁନିଅନକୁ ମଧ୍ଯ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ପୂର୍ବତନ ସି.ଏମ୍.ଡି. ମାନେ କୋଇଲା କ୍ଷେତ୍ର ସହ ଜଡ଼ିତ ସମସାମୟିକ ପ୍ରସଙ୍ଗ-କୋଇଲା ଚାହିଦା, ସମ୍ବଳର ସର୍ବୋତ୍ତମ ଉପଯୋଗ ପାଇଁ ରଣନୀତି ଇତ୍ୟାଦି ଉପରେ ନିଜର ମତ ରଖିଥିଲେ। ଏହି ଅଧିବେଶନରେ ମୁଖ୍ୟାଳୟ ସହିତ ବିଭିନ୍ନ ପରିଚାଳନା କ୍ଷେତ୍ରର ଅଧିକାରୀ, କର୍ମଚାରୀ ଏବଂ ଟ୍ରେଡ ୟୁନିଅନର ପ୍ରତିନିଧିଗଣ ସାମିଲ ହୋଇଥିଲେ।
ପୂର୍ବତନ ସି.ଏମ.ଡି ଶ୍ରୀ ଏ.ଆର୍ ଶର୍ମା, ଶ୍ରୀ ଏସ୍.ଏନ୍ ଶର୍ମା, ଶ୍ରୀ ଏସ୍.ଆର୍ ଉପାଧ୍ୟାୟ, ଶ୍ରୀ ଏ. ଏନ୍ ସହାୟ, ଶ୍ରୀ ଏ.କେ ଝା, ଶ୍ରୀ ଆର୍.ଆର୍ ମିଶ୍ର, ଶ୍ରୀ ବି.ଏନ୍ ଶୁକ୍ଲା, ଶ୍ରୀ ପି.କେ ସିହ୍ନା ଏବଂ ଶ୍ରୀ ଓ.ପି. ସିଂହଙ୍କ ସହିତ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ); ଶ୍ରୀ ପି.କେ ପଟେଲ, ମୁଖ୍ୟ ସତର୍କତା ଅଧିକାରୀ; ଶ୍ରୀ ଅଜିତ କୁମାର ବେହୁରା, ନିର୍ଦ୍ଦେଶକ (ଅର୍ଥ) ଏବଂ ଶ୍ରୀ ଏସ୍.କେ ଝା, ନିର୍ଦ୍ଦେଶକ (ବୈଷୟିକ) ଏହି ଅବସରରେ ଉପସ୍ଥିତ ଥିଲେ।
“ଷ୍ଟାର ନାଇଟ୍” କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ଯେଉଁଥିରେ ପ୍ରସିଦ୍ଧ ବଲିଉଡ ଗାୟକ ପଦ୍ମଶ୍ରୀ ସୋନୁ ନିଗମ ଏକ ଲାଇଭ୍ କନ୍ସର୍ଟରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ସମାବେଶକୁ ମନ୍ତ୍ରମୁଗ୍ଧ କରିଥିଲେ।