ସମ୍ ନର୍ସିଂ କଲେଜ-୨ରେ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ
୫୦୦ରୁ ଉର୍ଦ୍ଧ୍ବ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ, ଅଫିସର ଯୋଗ ଦେଲେ
ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର
ଭୁବନେଶ୍ୱର, ୦୪/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରା ପକ୍ଷରୁ ଶନିବାର ଦିନ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ନର୍ସିଂ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ, ଅଫିସର ଓ ଅନ୍ୟାନ୍ୟ କର୍ମକର୍ତାମାନେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସମାନଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ଗୁଡିକର ଚିହ୍ନଟ ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥି ନିମନ୍ତେ ସ୍ୱାସ୍ଥ୍ୟକ୍ଷେତ୍ରର ସମସ୍ତ କର୍ମଚାରୀ ସଜାଗ ରହିବାକୁ ଆବଶ୍ୟକ ବୋଲି ସେ କହିଥିଲେ ।
ବର୍ତମାନ ସମୟରେ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତନ ଯଥା ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଆଗ୍ରହ, ଅନିଦ୍ରା ଓ ଅବସାଦ ସ୍ୱାସ୍ଥ୍ୟକ୍ଷେତ୍ରକୁ ବହୁମାତ୍ରାରେ ପ୍ରଭାବିତ କରିବା ଫଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି । ନର୍ସମାନେ ସଚେତନ ହେଲେ ଯାଇ ସାମାଜିକ ସ୍ତରରେ ଲୋକମାନଙ୍କୁ ଅଣସଂକ୍ରାମକ ରୋଗ ଓ ଏହାର ଚିକିତ୍ସା ବିଷୟରେ ସଚେତନ କରାଇବା ସମ୍ଭବ ହେବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ନର୍ସିଂ କଲେଜରେ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିବା ନିମନ୍ତେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବର୍ତମାନ ସମୟରେ କର୍କଟ, ମଧୁମେହ ଓ ହୃଦରୋଗ ଭଳି ଅଣସଂକ୍ରାମକ ରୋଗରେ ପୀଡିତ ରୋଗୀମାନଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ହେବା ଫଳରେ ମୃତ୍ୟୁହାର ବଢିବାରେ ଲାଗିଛି । ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଜଡିତ ସମସ୍ତ କର୍ମଚାରୀ ତଥା ନର୍ସମାନଙ୍କୁ କିପରି ସଶକ୍ତ ଓ ପ୍ରଶିକ୍ଷିତ କରାଯାଇପାରିବ ତାହାହିଁ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ ।
ଏହି ଅବସରରେ ଓଡିଶା ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର (ଓଏସ୍ଆଇଏଚ୍ଅଏଫ୍ଡବ୍ଳ୍ୟୁ) ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ସନ୍ଦୀପନା ପତି ବିଶେଷ ଅତିଥି ଭାବେ ଯୋଗ ଦେଇ କହିଥିଲେ ଆଜିର ସମାଜରେ ବୃଦ୍ଧି ପାଉଥିବା ଅଣସଂକ୍ରାମକ ରୋଗ (ଏନ୍ସିଡିଏସ୍) ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । କେବଳ ଔଷଧ ନୁହେଁ ବରଂ ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ ରୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଜରୁରୀ । ଏଥିସହିତ ଖାଦ୍ୟ ଠାରୁ ଆରମ୍ଭ କରି ନିଜ ଜୀବନଚର୍ଯ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ ।
ଏହି ସମ୍ମିଳନୀରେ ସମ୍ ହସ୍ପିଟାଲ-୨ର କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ଅର୍ଚ୍ଚନା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର କରି କିଭଳି ରୋଗ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରାଯାଇପାରିବ ସେ ନେଇ ଅଭିନବ ପ୍ରୟାସ କରାଯାଇଛି । ସୁସ୍ଥ ଓ ନିରୋଗ ଓଡିଶା ଗଠନ ଦିଗରେ ଏହି ସମ୍ମିଳନୀ ଏକ ମାଇଲ ଖୁଂଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଆଜିକାଲିର ଜୀବନଶୈଳୀରେ ଅଣ –ସଂକ୍ରାମକ ରୋଗ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ପ୍ରଫେସନାଲମାନଙ୍କୁ କିଭଳି ଅଧିକ ଦକ୍ଷ ଓ ସଜାଗ କରାଯାଇପାରିବ ସେ ନେଇ ଏଠାରେ ବିସ୍ତୃତ ଆଲୋଚନା କରାଯିବ ।
ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ ଆଡଭାଇଜର ତଥା ସମ୍ ନର୍ସି କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଯୋଗ ଦେଇ ଏହି ସମ୍ମିଳନୀର ଥିମ୍ “ଫ୍ରମ ଆୱାରନେସ୍ ଟୁ ଆକ୍ସନ୍ : ଏମ୍ପାୱାରିଂ ହେଲ୍ଥ ପ୍ରଫେସ୍ନାଲ୍ସ୍ ଇନ୍ କ୍ଲୋଜିଙ୍ଗ୍ ଦ ଗ୍ୟାପ୍ ଫର ଏନ୍ସିଡିଏସ୍ ପ୍ରିଭେନ୍ସନ୍” ଉପରେ ବକ୍ତବ୍ୟ ରଖିଥିବା ବେଳେ କେବଳ ସଚେତନତା ନୁହେଁ ବରଂ ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ବ୍ୟବହାରିକ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ ।
ସମ୍ ନର୍ସି କଲେଜ -୨ର ଡିନ୍ ପ୍ରଫେସର ତଥା ପ୍ରୋଗ୍ରାମ୍ ଡାଇରେକ୍ଟର ପ୍ରଫେସର (ଡାକ୍ତର) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି ସମ୍ମିଳନୀର ଅର୍ଗାନାଇଜିଂ ଚେୟାରପର୍ସନ୍ ତଥା ମେଡିକାଲ୍ ସର୍ଜିକାଲ୍ ନର୍ସିଂ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଫରଜାନା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମ ନର୍ସିଂ କଲେଜ-୧ର ଡିନ୍ ତଥା ପ୍ରୋଗ୍ରାମ ଆଡଭାଇଜର ପ୍ରଫେସର (ଡାକ୍ତର) ସସ୍ମିତା ଦାସ ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ତଥା ମେଡିକାଲ୍ ସର୍ଜିକାଲ୍ ନର୍ସିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଦେବୀକା ଦାସ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।