ଆଇଟିଇଆରରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍‌ଘାଟିତ

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଦ୍ଵାରା ଉଦଘାଟିତ

ବିଭିନ୍ନ ବସ୍ତି ଅଂଚଳର ଶିଶୁମାନଙ୍କ ଦ୍ୱାରା ନୃତ୍ୟ ପରିବେଷିତ

ଭୁବନେଶ୍ୱର, ୦୪/୦୪: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ୩-ଦିନିଆ ଟେକ୍ନୋ କଲ୍‌ଚରାଲ୍ ଫେଷ୍ଟ ‘ଚକ୍ରବ୍ୟୁହ’ ଏବଂ ‘ଜେନେସିସ୍‌’ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ।

ଆଇଟିଇଆର ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ।

ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସର୍ବ ପୁରାତନ ଅନୁଷ୍ଠାନ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିୁଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ରାଙ୍କିଙ୍ଗ୍ସ ୨୦୨୫ରେ ଦେଶର ୨୨ତମ ଶ୍ରେଷ୍ଠ ଇଞ୍ଜିିନିୟରିଂ କଲେଜର ମାନ୍ୟତା ପାଇଛି ବୋଲି କହିବା ସହ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏ ନେଇ ଗର୍ବ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ସେ କହିଥିଲେ ଯେ ଆଇଟିଇଆରର ଛାତ୍ରଛାତ୍ରୀମାନେ ବିଶ୍ୱର କୋଣ ଅନୁକୋଣରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଗୌରବର ବିଷୟ । ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିକ୍ଷାନୁଷ୍ଠାନ ପାଇଁ ଆନନ୍ଦର କଥା ।

ଏହି ଅବସରରେ ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଆହରଣ କରିବାକୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରପେସର ପ୍ରଦୀପ୍ତ କୁମାର ସାହୁ ଉପସ୍ଥିତ ରହି ଏହି ଶିକ୍ଷାନୁଷ୍ଠାନ ଗବେଷଣା ଓ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କହିଥିଲେ ।

ଆଇଟିଇଆରର ନିର୍ଦ୍ଦେଶକ ପ୍ରପେସର ମାନସ କୁମାର ମଲ୍ଲିକ କହିଥିଲେ ଯେ ଏହି ଅନୁଷ୍ଠାନ ୨୫ ବର୍ଷ ଧରି ନିଜକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ କରିଥିବା ବେଳେ ଏଠାରେ ବିଭିନ୍ନ ଷ୍ଟୁଡେଂଟ କ୍ଲବ ରହିଛି । ଏହା ଛଡ଼ା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ନ୍ୟାସ୍‌ନାଲ ସୋସିଆଲ୍ ସର୍ଭିସ ସ୍କିମ୍‌, ଅଟଳ ଇନ୍‌କ୍ୟୁବେସନ ସେଂଟର-ସୋଆ ଫାଉଣ୍ଡେସନ୍ ଇତ୍ୟାଦି ବିଭିନ୍ନ ଛାତ୍ରଛାତ୍ରୀ କୈନ୍ଦ୍ରିକ କାର୍ଯ୍ୟକ୍ରମ ରହିଛି ।

ଏହି ଉତ୍ସବରେ ଆଇଟିଇଆଇର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚିଫ୍ ୱାର୍ଡେନ୍ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ ବକ୍ତବ୍ୟ ରଖିଥିଲେ । ଆଡିସ୍‌ନାଲ୍ ୱାର୍ଡେନ୍ ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବେ ।

ଉଦ୍‌ଘାଟନୀ ସମାରୋହରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ‘ଜାଗୋ’ ପ୍ରୟାସ ମାଧ୍ୟମରେ ପାଠ ପଢ଼ାରେ ସେମାନଙ୍କ ଦ୍ୱାରା ସାହାଯ୍ୟ ପାଉଥିବା ବିଭିନ୍ନ ବସ୍ତି ଅଂଚଳର ଶିଶୁମାନଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହୋଇଥିଲା ।