ରାଜ୍ୟସ୍ତରୀୟ ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସ ପାଳିତ

ଅସୀମ ତ୍ୟାଗ, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ରଘୁ: ଦିବାକର

ଭୁବନେଶ୍ୱର, ୦୪/୦୪: ଇଂରେଜ ଶାସନ ଓ ଅତ୍ୟାଚାରୀ ରାଜତନ୍ତ୍ର ବିରୋଧରେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା ଥିଲା। ଏହି ସଂଗ୍ରାମରେ ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଅଦମ୍ୟ ସାହସ ଓ ଅସୀମ ତ୍ୟାଗର ପରିଚୟ ଦେଇ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ବଳିଦାନ ଓ ଦେଶପ୍ରେମ ଆମ ଇତିହାସରେ ସଦା ଚିରସ୍ମରଣୀୟ ହୋଇ ରହିବ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଆସିବ ବୋଲି ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ–ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ସମାରୋହରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ବରପୁତ୍ରମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂ ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ରଘୁ–ଦିବାକରଙ୍କ ବଳିଦାନ ଓ ଆଦର୍ଶ ଆଜିର ସମାଜ ପାଇଁ ପଥପ୍ରଦର୍ଶକ ବୋଲି ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ରଘୁ–ଦିବାକର ଭଳି ବୀର ସନ୍ତାନମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ତାଙ୍କର ତ୍ୟାଗ ଓ ବୀରତ୍ୱ ଆମ ଇତିହାସକୁ ଗୌରବମୟ କରିଛି ଏବଂ ଏହି ବରପୁତ୍ରମାନେ ସଦା ଆମ ହୃଦୟରେ ଅମିଟ ଭାବେ ରହିବେ। ଇତିହାସକୁ ସ୍ମରଣ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ।

ଅତିଥି ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅଧ୍ୟକ୍ଷ, ଜିଲ୍ଲା ଖାଉଟି ଆୟୁକ୍ତ, ନୟାଗଡ଼ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଯୋଗଦେଇ ଶହୀଦ ରଘୁ–ଦିବାକରଙ୍କ ବୀରତ୍ୱ ଓ ତ୍ୟାଗମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସେ ସମାଜକୁ ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସଦା ସମ୍ମାନ କରିବା ଓ ସ୍ମରଣରେ ରଖିବାକୁ ଆହ୍ୱାନ କରିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଯାମିନୀକାନ୍ତ ନାୟକ ଯୋଗଦେଇ ରଘୁ–ଦିବାକରଙ୍କ ଇତିହାସ, ସଂଗ୍ରାମ ଓ ତ୍ୟାଗମୟ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ତାଙ୍କର ବଳିଦାନ ଆଜି ଆମକୁ ସ୍ୱାଧୀନତା ଓ ଶାନ୍ତିମୟ ଜୀବନ ଦେଇଛି।

ଶହୀଦ ରଘୁ–ଦିବାକର ସ୍ମୃତି କମିଟି ଓ ରଣପୁର ସାଂସ୍କୃତିକ ପରିଷଦର ସମ୍ପାଦକ ଶ୍ରୀ ଗୌରାଙ୍ଗ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଉପ ସଚିବ ଶ୍ରୀମତୀ ସୁନନ୍ଦା ମିଶ୍ର, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।