ମୁଖ୍ୟମନ୍ତ୍ରୀଙ୍କୁ ୱାର୍ଲ୍‌ଡ ଆଥେଲେଟିକ୍‌ସ ଚମ୍ପିଅନସିପ୍‌ର ପତାକା ପ୍ରଦାନ କଲେ କ୍ରୀଡାମନ୍ତ୍ରୀ

୨୦୨୮ରେ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ, କାଉଣ୍ଟଡାଉନ୍ ଆରମ୍ଭ

ଓଡିଶାର ଆଶା, ଆକାଂକ୍ଷା ଓ ଗୌରବର ପ୍ରତୀକ,
ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୪/୦୪: ଆଜି କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ବ ଆଥଲେଟିକ୍‌ସ ଚମ୍ପିଅନସିପ୍‌ର ପତାକା ପ୍ରଦାନ କରିଛନ୍ତି। ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ୍ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି।

ସୂଚନାଯୋଗ୍ୟ ଯେ, ଆଥଲେଟିକ୍‌ସ ଫେଡେରେସନ୍ ଅଫ୍ ଇଣ୍ଡିଆର ଶ୍ରୀ ରବୀନ୍ଦ୍ର ଚୌଧୁରୀ ଏବଂ ଓଡିଶାର କ୍ରୀଡା ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚମ୍ପିଅନସିପ୍‌ର ଫ୍ଲାଗ୍ ଗ୍ରହଣ କରିଥିଲେ। ଏହାଦ୍ବାରା ଭାରତ ଓ ଓଡିଶାକୁ ଏହି ଚମ୍ପିଅନସିପ୍‌ ଆୟୋଜନ କରିବାର ଦାୟିତ୍ବ ବିଧିବଦ୍ଧ ଭାରେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୋଲାଣ୍ଡରେ ୱାର୍ଲ୍‌ଡ ଆଥଲେଟିକ୍‌ସର ପ୍ରେସିଡେଣ୍ଟ ସେବାଷ୍ଟିଆନ୍ କୋ ଭାରତର ଓଡିଶାରେ ଏହି ଚମ୍ପିଅନସିପ୍ ହେବ ବୋଲି ଘୋଷଣା କରିଥିଲେ। ଏହାଦ୍ବାରା ବିଶ୍ବ କ୍ରୀଡା ପଟଳରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି।

ଏହି ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କେବଳ ଏକ ଇଭେଣ୍ଟ ନୁହେଁ, ଏହା ଓଡିଶାର କ୍ରୀଡାପାଇଁ ଏକ ଐତିହାସିକ ମୁହୂର୍ତ୍ତ। ୨୦୨୮ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ସହିତ ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ। ଏହା ହେଉଛି ସାରା ବିଶ୍ବକୁ ଓଡିଶାର ପ୍ରତିଶୃତି-ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ।

ୱାର୍ଲ୍‌ଡ ଆଥଲେଟିକ୍‌ସ ଚମ୍ପିଅନସିପ୍ ବିଶ୍ବସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍‌ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଏଥିରେ ବିଶ୍ବର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି।