ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା: ମାସକୁ ୫ କେଜି ଅଧିକ ଚାଉଳ

'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' କୁ କ୍ୟାବିନେଟ୍ ମଞ୍ଜୁରୀ

ଉପକୃତ ହେବେ ୩ କୋଟି ୨୮ ଲକ୍ଷ ଲୋକ

ଭୁବନେଶ୍ୱର, ୦୫/୦୪: ଖାଦ୍ୟ ସୁରକ୍ଷାରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ଓଡ଼ିଶା କ୍ୟାବିନେଟ ଆଜି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ କୁ ମଞ୍ଜୁର କରିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଅତିରିକ୍ତ ୫ କିଲୋ ଚାଉଳ ମାଗଣାରେ ଦିଆଯିବ।

ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ, ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧିନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ, ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ, ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ବଣ୍ଟନ କରାଯିବା ନିମନ୍ତେ, ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ୬୯୨ ସଦସ୍ୟ ଉପକୃତ ହେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଉପକୃତ ହେଉଛନ୍ତି ।

ଉଭୟ ଯୋଜନାରେ ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଉପକୃତ ହେଉଛନ୍ତି । ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ ।

ଏ ସମ୍ବନ୍ଧୀୟ ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ହିସାବରେ ବାର୍ଷିକ ହାରାହାରି ୧୯.୭୧ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧିନସ୍ଥ ହିତାଧିକାରୀମାନଙ୍କୁ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା (MAPY)’ ମାଧ୍ୟମରେ ଦେୟମୁକ୍ତ ଚାଉଳ ବଣ୍ଟନ କରାଯିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହି ବାବଦରେ ଆକଳନ କରାଯାଇଥିବା ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହାରରେ, ବାର୍ଷିକ ବ୍ୟୟ ବରାଦ ୮,୮୧୩ କୋଟି ଟଙ୍କା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କରାଯିବାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହାଦ୍ୱାରା ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଦୃଢ଼ ହୋଇପାରିବ ।