ଭୁବନେଶ୍ୱର, ୧୦/୦୪: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ମାନେ ଯୋଗ ଦେଇଥିଲେ। କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ହାଡୁଆ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍ ଲାଇନ୍ ପାଇଁ ଟେଣ୍ଡର ମଞ୍ଜୁର ହୋଇଛି। ଏହା ଦ୍ୱାରା ବଡ଼ମ୍ବାର ୭୬, ନରସିଂହପୁର ଓ ତିଗିରିଆର ୫ ଲେଖାଏଁ ଗାଁ ଉପକୃତ ହେବ।
ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଇଛି। ହୀରାକୁଦରୁ ଜଳ ଉତ୍ତୋଳନ କରି ଜଳ ଯୋଗାଣ ବ୍ୟବସ୍ଥା ହେବ। ଏହା ଦ୍ୱାରା ସମ୍ବଲପୁର ଜିଲ୍ଲାର ୧୪ଟି ଗାଁର ଲୋକେ ଉପକୃତ ହେବେ। ୬ ହଜାର ୨୧୦ ହେକ୍ଟର ଜମି ଜଳସେଚିତ ହେବ।
୩୪୦୦ କୋଟିର ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି। ୩୧୮ଟି ବସ୍ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ। କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ MVA ସବ୍ଷ୍ଟେସନ ହେବ। ଓଡ଼ିଶା ଶ୍ରମ ସେବା ନିୟମାବଳୀରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ପୂର୍ବରୁ ନିଯୁକ୍ତ ALO, RLI ମାନେ ବିଭାଗୀୟ ପରୀକ୍ଷାରୁ ଛାଡ଼ ପାଇବେ।