OUSSSC ର ସଦସ୍ୟ ହେଲେ ଶ୍ରୀ ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଓ ଶ୍ରୀ କଲ୍ୟାଣ କୁମାର ରଥ
ନିଯୁକ୍ତିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫/୦୪: ଶ୍ରୀ ତ୍ରୈଲୋକ୍ୟନାଥ ଖୁଣ୍ଟିଆ ଏବଂ ଶ୍ରୀ କଲ୍ୟାଣ କୁମାର ରଥ ଓଡିଶା ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ସଦସ୍ୟ ନିଯୁକ୍ତ ହେଲେ। ଶ୍ରୀ ଖୁଣ୍ଟିଆ ହେଉଛନ୍ତି CRPFର ପୂର୍ବତନ ଆଇ.ଜି ଏବଂ ଶ୍ରୀ ରଥ ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କ OSD ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ଏହି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଶନର ଅଧ୍ୟକ୍ଷ ଏବଂ ଦୁଇଟି ସଦସ୍ୟ ପଦବୀ ପୂରଣ ହେବା ଯୋଗୁ ରାଜ୍ୟର ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
‘ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ’ ଜରିଆରେ ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଥିବା ବିଭିନ୍ନ ୟୁନିଫର୍ମ୍ଡ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ।