ପହଲଗାମ ଆକ୍ରମଣକୁ ବର୍ଷେ

ରକ୍ତରେ ହୋଲି ଖେଳିଥିଲେ ଆତଙ୍କବାଦୀ

୨୦୨୫ ଏପ୍ରିଲ ୨୨ — ସେହି ଦିନ ଭୂସ୍ୱର୍ଗ ପରି ଦେଖାଯାଉଥିବା ପହଲଗାମର ବୈସରନ୍ ଉପତ୍ୟକା ହଠାତ୍ ରକ୍ତର ନଦୀ ହୋଇଯାଇଥିଲା। ସେଦିନ କେହି ନିଜ ପରିବାର ସହ ପିକନିକ୍ କରୁଥିଲେ ତ କେହି ନବବିବାହିତ ବୁଲିବାକୁ ଯାଇଥିଲେ, କେହି ବାପା-ମା’ଙ୍କ ସହ ପ୍ରଥମ କାଶ୍ମୀର ଯାତ୍ରା କରୁଥିଲେ। କିନ୍ତୁ ସେହି ଖୁସିର ମୁହୂର୍ତ୍ତ ବାସ କିଛି କ୍ଷଣିକ ପାଇଁ ଥିଲା।

ହଠାତ୍… ଜଙ୍ଗଲରୁ ବାହାରି ଆସିଲେ ଆତଙ୍କବାଦୀ। ସେମାନଙ୍କ ହାତରେ ଆଧୁନିକ ଅସ୍ତ୍ର, ମୁହଁରେ ନିଷ୍ଠୁରତା। ୨ରୁ ୭ ଜଣ ଆତଙ୍କବାଦୀ ଜଙ୍ଗଲରୁ ବାହାରି ଆସି ଆକ୍ରମଣ କରିଥିଲେ। ସେମାନଙ୍କ ପାଖରେ AK-47 ଓ M4 carbine ଥିଲା, ସେମାନେ ସୈନ୍ୟ-ଶୈଳୀର ପୋଷାକ ପିନ୍ଧିଥିଲେ ଓ ଆଧୁନିକ ଯୋଗାଯୋଗ ସାମଗ୍ରୀ ବ୍ୟବହାର କରିଥିଲେ।

ସେମାନେ ଲୋକଙ୍କୁ ଧର୍ମ ପଚାରିଲେ, ପୁରୁଷଙ୍କୁ ନିକଟରୁ ଗୁଳି କଲେ। ମହିଳା ଓ ପିଲାମାନଙ୍କୁ ଛାଡ଼ି ଦେଲେ। ଏହି ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ଜୀବନ ଯାଇଥିଲା। ସମସ୍ତେ ପୁରୁଷ — କେହି ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନାରୱାଲ (ଯିଏ ମାତ୍ର କେଇଦିନ ପୂର୍ବରୁ ବିବାହ କରିଥିଲେ)  ଆଉ କିଏ ଆମେରିକାରେ ଥିବା ଟେକ୍ନିକ୍ୟାଲ୍ ବିଟାନ୍ ଅଧିକାରୀ, ବିହାରର ଏକ୍ସାଇଜ୍ ଇନ୍ସପେକ୍ଟର, କର୍ଣ୍ଣାଟକର ରିଅଲ୍ ଏଷ୍ଟେଟ୍ ବ୍ୟବସାୟୀ, ଓଡ଼ିଶାର ଆକାଉଣ୍ଟାଣ୍ଟ… ଆଉ ଜଣେ ସ୍ଥାନୀୟ ମୁସଲିମ୍ ଘୋଡ଼ା ଚାଳକ ସୟଦ୍ ଆଦିଲ୍ ହୁସେନ୍ ଶାହ୍ — ଯିଏ ଆତଙ୍କବାଦୀଙ୍କ ବନ୍ଧୁକ କାଢ଼ିବାକୁ ଚେଷ୍ଟା କରି ନିଜ ଜୀବନ ଦେଇଦେଲେ।

ସେହି ମୁହୂର୍ତ୍ତର କଥା ଆଜି ବି ହୃଦୟ କମ୍ପାଏ। ଜଣେ ପତ୍ନୀ ଚିତ୍କାର କରୁଥିଲେ, “ମୋ ସ୍ୱାମୀକୁ ବଞ୍ଚାଅ!” ଆଉ ଜଣେ ନବବିବାହିତା ପତ୍ନୀ ନିର୍ବାକ ହୋଇ ନିଜ ସ୍ୱାମୀର ମୃତଦେହ ପାଖରେ ବସି ରହିଥିଲେ।

ସେଦିନ ରକ୍ତରେ ହୋଲି ଖେଳିଥିଲେ ସତ, କିନ୍ତୁ କିଛି ଲୋକଙ୍କ ସଂସାର ଉଜାଡ଼ି ଦେଇଥିଲା ସେଦିନର ଆକ୍ରମଣ। ସେହି ଗୁଳିର ଶବ୍ଦ ଆଜି ବି ଛାତିକୁ ଦୋହଲାଇ ଦିଏ। ସେଦିନ ଭାରତ ପାଇଁ ଥିଲା ଏକ କଳା ଦିନ।

ଏହି ଆକ୍ରମଣ କେବଳ ଗୁଳି ନୁହେଁ, ଏକ ନିଷ୍ଠୁର ଖେଳ ଥିଲା — ଧର୍ମର ନାମରେ ନିରୀହ ଜୀବନ ନେବା। କିନ୍ତୁ ଏହି ଦୁଃଖର ମଝିରେ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ, ଦେଶ ଏକାଠି ହୋଇଥିଲା, ଆଉ ଭାରତ ତା’ର ପ୍ରତିଶୋଧ ନେଇଥିଲା।

ପହଲଗାମ — ଯାହାକୁ ‘ଭାରତର ସ୍ୱିଟଜରଲ୍ୟାଣ୍ଡ୍’ କୁହାଯାଏ — ସେଦିନ ରକ୍ତରେ ଭିଜିଯିବା ପରେ ପର୍ଯ୍ୟଟନ ବନ୍ଦ ହୋଇଗଲା। ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲା। ଅବଶ୍ୟ ବର୍ଷେ ପରେ ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଛି ସେଠାକାର ଅଞ୍ଚଳ।

କିନ୍ତୁ ଏହି ଆକ୍ରମଣକୁ ସାମ୍ନା କରିଥିବା ସେହି ପରିବାର ଆଖିରୁ ଆଜି ବି ଲୁହ ବାହାରୁଛି। ସେମାନଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ରହିଛି — କେବେ ଏହି ଆତଙ୍କ ଶେଷ ହେବ!

ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିଲା ଅପରେସନ ସିନ୍ଦୂର। ଗୋଟି ଗୋଟି କରି ଆତଙ୍କୀଙ୍କୁ ମାରି ପ୍ରତିଶୋଧ ନେଇଥିଲା। ଏହି ହମଲାରେ ଦାୟୀ ଥିବା ଲସ୍କର-ଏ-ତୋଏବା ର‌ ୯ଟି ଆଡ୍ଡାସ୍ଥଳୀକୁ ଟାର୍ଗେଟ କରି ଧ୍ୱଂସ କରିଥିଲା ଭାରତ। ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଆନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ।