ଭୁବନେଶ୍ୱର, ୨୨/୦୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଖରା, ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ପ୍ରବଳ ପବନ ହେବାର ସମ୍ଭାବନା ଥିବା ବେଳେ ଅନ୍ୟ କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଦେଖିବାକୁ ମିଳିବ।
ରାଜ୍ୟର ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଅଞ୍ଚଳରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଏପ୍ରିଲ୍ ୨୨ରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, କଟକ, ପୁରୀ , ଖୋର୍ଦ୍ଧା , ଗଞ୍ଜାମ, ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଶୁଖିଲା ପାଗ ରହିବ। ଏହି ଧାରା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ତେବେ ଏପ୍ରିଲ ୨୪ ଏବଂ ୨୫ ସୁଦ୍ଧା ବର୍ଷା ପରିମାଣ କମିବ।
କେନ୍ଦୁଝର ଏବଂ ମୟୂରଭଞ୍ଜରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଅନ୍ୟ ଜିଲ୍ଲା ଗୁଡ଼ିକରେ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ। ଏ ନେଇ ପାଣିପାଗ ବିଭାଗ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି।
ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ଏବଂ ଆର୍ଦ୍ର ପରିସ୍ଥିତି ଦେଖାଦେବ।
ଗତ କାଲି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଗତ କାଲି ୪୦ ଡିଗ୍ରୀ ଉପରେ ଗତକାଲି ୧୮ ସହରର ପାରଦ ଥିବାବେଳେ ଝାରସୁଗୁଡ଼ାରେ ଥିଲା ସର୍ବାଧିକ ୪୩ ଡିଗ୍ରୀ।