ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ୦୪/୧୧: ରାଜ୍ୟରେ ପ୍ରସୂତି ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣାକୁ ଏଡାଇବା ପାଇଁ ସ୍ୱତନ୍ତ୍ର ଅକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।ଏତଦ୍‌ ବ୍ୟତିତ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅତି ସ୍ପଷ୍ଟ ଭାବେ ହାଇକୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ସମ୍ପର୍କରେ ମଧ୍ୟ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ହୋଇଛି ।

ପାରଳାଖେମୁଣ୍ଡି ବାସିନ୍ଦା ସମ୍ବର ଶବରଙ୍କ ପକ୍ଷରୁ ୨୦୧୫ ମସିହାରେ ଦାଏର ହୋଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୧୫ ମସିହା ମାର୍ଚ୍ଚ ମାସ 18 ତାରିଖ ଦିନ ଆବେଦନକାରୀ ସମ୍ବରଙ୍କ ବୋହୁ ପ୍ରସବ ପାଇଁ ଗଡ଼ବନ୍ଧ ପିଏଚସିରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ଚିକିତ୍ସା ଜନିତ ଅବହେଳାକୁ ଦାୟୀ କାରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୬ସପ୍ତାହ ମଧ୍ୟରେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।