ସୋଆରେ ଆନ୍ତଜାର୍ତିକ ବିହନ ଦିବସ ପାଳିତ
ସ୍ନାତକ ଛାତ୍ରଛାତ୍ରୀମାନେ ବିହନ ପରୀକ୍ଷା ଓ ସଂରକ୍ଷଣ ପଦ୍ଧତି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଲେ
ଭୁବନେଶ୍ୱର, ୨୮/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍
ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ରବିବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏହି ଅଂଚଳର ପ୍ରାୟ ୭୦ଜଣ ଚାଷୀଙ୍କ ଉପସ୍ଥିତିରେ ଆନ୍ତଜାର୍ତିକ ବିହନ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଡ.ଦେବରାଜ ଲେଙ୍କା, ସମ୍ମାନିତ ଅତିଥି ପ୍ରଫେସର ସରୋଜ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ପ୍ରଫେସର ରବି କୁମାର ପଟ୍ଟନାୟକ କୃଷକମାନଙ୍କୁ ଉନ୍ନତ ବିହନର ଉପାଦେୟତା, ଗୁଣବତା ବୃଦ୍ଧି ପ୍ରକ୍ରିୟା ଓ ସଂରକ୍ଷଣ ବିଷୟରେ ବୁଝାଇଥିଲେ ।
ଶିକ୍ଷାନୁଷ୍ଠାନର କୃଷି ସଂପ୍ରସାରଣ ବିଭାଗର ମୁଖ୍ୟ ପ୍ରଫେସର ବିବୁଧ ପରାଶର, କୀଟତତ୍ୱ ବିଭାଗର ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଓ ସହକାରୀ ଅଧ୍ୟାପକ ଡ. ସାଇ ଟିମାରାଓ ଉପସ୍ଥିତ ରହି କୃଷକ ମାନଙ୍କର ଫସଲ ଉତ୍ପାଦନରେ ଥିବା ସମସ୍ୟା ଓ ତାର ନିରାକରଣ ଉପାୟ ବିଷୟରେ ବୁଝାଇଥିଲେ । ବୀଜ ବିଜ୍ଞାନ ଓ ପ୍ର୍ରଯୁକ୍ତିବିଦ୍ୟା ବିଭାଗର କାର୍ଯ୍ୟକାରୀ ବିଭାଗୀୟ ମୁଖ୍ୟ ଡ. ଏସ୍.ପି ମୋନାଲିସା ଓ ସହକାରୀ ଅଧ୍ୟାପକ ଡ. ରାମକୃଷ୍ଣ ବସ୍ତିଆ, ଡ. ଚିରଞ୍ଜୀବୀ କୁଲକର୍ଣ୍ଣୀ ଓ ଡ.ସ୍ୱସ୍ତିଦୀପା ସାହୁ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଟାବାଡ ଗ୍ରାମ ପଂଚାୟତର ସମିତି ସଭ୍ୟା ସସ୍ମିତା ବେହେରା ଉପସ୍ଥିତ ରହି କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମର ଦୁଇଜଣ ସଫଳ ଚାଷୀ ଶ୍ରୀମତି ଊଷା ଜଟ ଓ ଶ୍ରୀ କୁଳମଣି ଦାସ, କୃଷକ ସାଥି ଶ୍ରୀ ସଏଦ୍ ମହମ୍ମଦ ଓ ଶ୍ରୀ ଭାଗ୍ୟଧର ଦାସଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ନାତକ ଛାତ୍ରଛାତ୍ରୀମାନେ ବିଭିନ୍ନ ବିହନ ପରୀକ୍ଷା ଓ ସଂରକ୍ଷଣ ପଦ୍ଧତି, ସମନ୍ୱିତ କୀଟ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।
ପରିଶେଷରେ ଶିକ୍ଷାନୁଷ୍ଠାନର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉନ୍ନତ ବିହନର ଆବଶ୍ୟକତା ଉପରେ ଏକ ଛୋଟ ସଚେତନତା ମୂଳକ ନାଟକ ପରିବେଷଣ କରାଯାଇଥିଲା । କୃଷି ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ଲାଭଦାୟକ ବିହନ ଉତ୍ପାଦନରେ ସହାୟକ ହୋଇପାରିବ ।