୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ
ଟେଲିଫୋନ ଯୋଗେ ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୩/୧୦: ଜାପାନରେ ଅନୁଷ୍ଠିତ ୨୦୨୬ ଏସିଆନ୍ସ ଗେମ୍ସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଦେଶର ଏହି ଆନନ୍ଦ ଓ ଗୌରବମୟ ମୁହୂର୍ତ୍ତରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟେଲିଫୋନ ଯୋଗେ ଜାତୀୟ ପୁରୁଷ ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରାଙ୍କ ସହ କଥା ହୋଇ ସେମାନଙ୍କୁ ସାଢ଼େ ଚାରିକୋଟି ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍କୁ ପ୍ରଶଂସା କରିବା ସହ ଶିଳାନନ୍ଦଙ୍କ ଗୋଲ୍ ପାଇଁ ଗର୍ବିତ ବୋଲି କହିଥିଲେ । ଆପଣ ଦୁଇଜଣ ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶା ବାସୀଙ୍କ ଶୁଭକାମନା ଆପଣମାନଙ୍କ ସହିତ ସବୁବେଳେ ଅଛି ଓ ରହିବ ବୋଲି ସେ କହିଥିଲେ । ଆପଣମାନଙ୍କ ଓଡ଼ିଶା ଫେରିବା ବାଟକୁ ଆମେ ସମସ୍ତେ ଚାହିଁ ରହିଛୁ ବୋଲି ସେ କହିଥିଲେ । ଆଜି ସମଗ୍ର ଓଡ଼ିଶା ଆପଣମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି, ଆପଣମାନେ ଆଗକୁ ଆହୁରି ବିଜୟ ଲାଭ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ ।