ବିନୋଦିନୀ କ୍ୟାନସର୍ ହସ୍‌ପିଟାଲ ଉଦ୍‌ଘାଟିତ

ପଶ୍ଚିମ ଓଡିଶାର କ୍ୟାନସର୍ ରୋଗୀଙ୍କ ସେବାପାଇଁ ଆମେ ଉତ୍ସର୍ଗୀକୃତ: ଡକ୍ଟର ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର, ୧୨/୦୫: ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ ରାଉଲକେଲା ପରିସରରେ ବିନୋଦିନୀ କ୍ୟାନସର୍ ହସ୍‌ପିଟାଲ୍ ଉଦ୍‌ଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ସେ କହିଛନ୍ତି ଯେ, ରାଉଲକେଲାରେ ଅତ୍ୟାଧୂନିକ ଏବଂ ବିଶ୍ୱସ୍ତରୀୟ ଉପକରଣ ସହ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କ୍ୟାନସର୍ ରୋଗ ନିରୁପଣ ଓ ଚିକିତ୍ସା ସୁବିଧା ଥିବା ବିନୋଦିନୀ ହସ୍‌ପିଟାଲ୍ ପ୍ରତିଷ୍ଠା ହେବା ନିଶ୍ଚିତ ରୁପେ ଆନନ୍ଦର କଥା, ଏହା ଦ୍ବାରା ପଶ୍ଚିମଓଡିଶାର ରୋଗୀଙ୍କ ସହ ପଡୋଶୀ ରାଜ୍ୟର ରୋଗୀ ମଧ୍ୟ ଉପକୃତ ହୋଇପାରିବେ। ୧୫୦କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୂନିକ ହସ୍‌ପିଟାଲ୍‌ରେ ବିଶ୍ବସ୍ତରୀୟ ଉପକରଣର ଓ ଅସ୍ତ୍ରୋପଚାର ଗୃହ ରହିଛି। ୨୫୦ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲ୍‌ରେ ବରିଷ୍ଠ ତଥା ଅଭିଜ୍ଞ କ୍ୟାନ୍‌ସର ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏହି ଅବସରରେ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ, ପୂର୍ବରୁ ପଶ୍ଚିମଓଡିଶାର କ୍ୟାନସର୍ ରୋଗୀମାନେ ଚିକିତ୍ସା ପାଇଁ ବହୁ ଦୁରଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ, ଏବେ ସ୍ୱଳ୍ପ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ନିଜ ଘର ନିକଟରେ ପାଇପାରିବେ । ପଶ୍ଚିମଓଡିଶାର ରୋଗୀମାନଙ୍କ ସହ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡର ରୋଗୀମାନେ ମଧ୍ୟ ଏହି କ୍ୟାନସର୍ ହସ୍‌ପିଟାଲରେ ଉନ୍ନତମାନର ଚିକିତ୍ସାର ସୁବିଧା ପାଇପାରିବେ। ହାଇଟେକ୍ ଗ୍ରୁପ୍‌ର ସିଇଓ ତଥା ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ କହିଛନ୍ତି ଯେ,ଏହି କ୍ୟାନ୍‌ସର ହସ୍‌ପିଟାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ରୋଗ ନିରୁପଣ ସହ ନୀରବଛିନ୍ନ ରୋଗୀସେବା କରିବା। କାର୍ଯ୍ୟକ୍ରମରେ ଟ୍ରଷ୍ଟି ପୁଷ୍ପାଞ୍ଜଳୀ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍‌ପିଟାଲ ରାଉଲ୍‌କେଲାର କାର୍ଯ୍ୟକାରୀ ଚେୟାରମ୍ୟାନ୍ ଡାକ୍ତର ରାକେଶ ପାଣିଗ୍ରାହୀ, ମେଡିକାଲ୍ କଲେଜର ସିଇଓ ଡାକ୍ତର ସୁଶାନ୍ତ କୁମାର ଆଚାର୍ଯ୍ୟ, ମେଡିକାଲ୍ କଲେଜ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।