ମହିଳା ଓ ଶିଶୁ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଉପ-ମୁଖ୍ୟମନ୍ତ୍ରୀ ଓ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସାକ୍ଷରତା ହାର ବଢ଼ାଅ, ଆକର୍ଷଣୀୟ ଶୈଳୀରେ ପାଠ ପଢ଼ାଅ

ଭୁବନେଶ୍ୱର, ୨୭/୧୧: ରାଜ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସମସ୍ୟା ତଥା ଅଙ୍ଗନବାଡ଼ି କର୍ମୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ସମାଧାନ ଏବଂ ଶିଶୁମାନଙ୍କ ସାମଗ୍ରିକ ବିକାଶକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସମସ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବି ଓ ଅସୁବିଧା, ସେମାନଙ୍କର ବର୍ତ୍ତମାନର କାର୍ଯ୍ୟଧାରା ଓ ଗତିବିଧି, ପୋଷଣ କାର୍ଯ୍ୟକ୍ରମ, ଗୋଷ୍ଠୀ ସହଭାଗିତା (Community Mobilisation) ସମେତ ଶିଶୁମାନଙ୍କ ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ସମସ୍ତ ବିଷୟକୁ ଗମ୍ଭୀରତାର ସହ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ‘ଷ୍ଟଣ୍ଟିଂ’ (Stunting ବା ବୟସ ଅନୁସାରେ ଉଚ୍ଚତା କମ୍ ରହିବା) ଏବଂ ‘ୱେଷ୍ଟିଂ’ (Wasting ବା ଉଚ୍ଚତା ଅନୁସାରେ ଓଜନ କମ୍ ରହିବା) ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ପ୍ରତିଦିନ ନିୟମିତ ଭାବେ ଖୋଲା ରହେ, ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି।

ତୃଣମୂଳ ସ୍ତରରେ କାର୍ଯ୍ୟର ଯାଞ୍ଚ କରିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରୁ ଅଧିକ ସଂଖ୍ୟକ ଟିମ୍ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସୁପରଭାଇଜର ଏବଂ ସିଡିପିଓ (CDPO) ମାନେ ଦୈନିକ ଭିତ୍ତିରେ ସମୀକ୍ଷା କରି ପ୍ରତିଦିନର ସ୍ଥିତି ରିପୋର୍ଟ ପ୍ରଦାନ କରିବାକୁ ସେ କହିଛନ୍ତି। ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ସଠିକ୍ ଭାବେ ରିଫ୍ରେସର ତାଲିମ ପ୍ରଦାନ କରିବା ସହ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜସ୍ୱ ଉଦ୍ୟମରେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷା ଓ ସେବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀମାନେ ନିଜର ସାକ୍ଷରତା ହାର ବୃଦ୍ଧି କରିବା ସହ କୁନି କୁନି ଶିଶୁମାନଙ୍କୁ ଶିକ୍ଷାଦାନ କରିବାର ଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ। ‘ପୋଷଣ ଟ୍ରାକର’କୁ ନିୟମିତ ଭାବେ ତଦାରଖ କରିବା ଏବଂ ଏହାର ତଥ୍ୟକୁ ସକାରାତ୍ମକ ଭାବେ ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ’ (NFHS) ରିପୋର୍ଟକୁ ସଠିକ୍ ଭାବେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଜନସେବା କ୍ଷେତ୍ରରେ କୌଣସି ପ୍ରକାର ଆଦେଶ ଅମାନ୍ୟ ନ କରିବାକୁ କଡ଼ା ତାଗିଦ କରିବା ସହ ସୁପରଭାଇଜରମାନେ ନିୟମିତ ଭାବେ ସେବା ରେକର୍ଡ (Service Record) ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତମ କାର୍ଯ୍ୟ ପାଇଁ କର୍ମୀମାନଙ୍କୁ ଉତ୍ସାହିତ କରାଯିବା ଉଚିତ ବୋଲି ସେ ବୈଠକରେ କହିଛନ୍ତି।

ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରର ରିପୋର୍ଟ ପ୍ରଥମେ ସିଡିପିଓ (CDPO) ମାନଙ୍କ ନିକଟକୁ ଯିବ ଏବଂ ସିଡିପିଓମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାକୁ ଆଧାର କରି ପରବର୍ତ୍ତୀ ପରାମର୍ଶ ଓ ପଦକ୍ଷେପ ଗ୍ରହଣ କରାଯିବ। ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କର ମୂଳ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପୋଷଣ ସହାୟତା ପାଇଁ ‘‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ଅତିରିକ୍ତ ପୋଷଣ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ଅବସରରେ ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ଦୃଷ୍ଟିରୁ ‘ସମୃଦ୍ଧ ଅଙ୍ଗନବାଡ଼ି କେନ୍ଦ୍ର’ ଯୋଜନା ଅଧୀନରେ ଉପଯୁକ୍ତ ଗୃହ ନିର୍ମାଣ କରାଯିବ ଏବଂ ଏ ଦିଗରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ବିକାଶ ଏବଂ ଅଙ୍ଗନବାଡ଼ି କାର୍ଯ୍ୟର ସୁପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଉନ୍ନୟକ କମିଶନର, ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଣାଳିନୀ ଦର୍ଶୱାଲ ଏବଂ ବିଭାଗୀୟ ସଚିବ ଶ୍ରୀମତୀ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।