ଓଡ଼ିଶାରେ ବିପର୍ଯ୍ୟୟ-ସହନଶୀଳ ଶକ୍ତି ବ୍ୟବସ୍ଥାର ବିକାଶ ନିମନ୍ତେ OSDMAର ରାଜ୍ୟସ୍ତରୀୟ କାର୍ମଶାଳା

ବିପର୍ଯ୍ୟୟ ସମୟରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ନେଇ ବିଶେଷ ଗୁରୁତ୍ଵ

ବିବିଧ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ OSDMA

ଭୁବନେଶ୍ୱର, ୨୭/୧୧: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଇଣ୍ଟିଗ୍ରେଟେଡ୍ ରିସର୍ଚ୍ଚ ଆଣ୍ଡ ଆକ୍ସନ୍ ଫର୍ ଡେଭଲପମେଣ୍ଟ (IRADe)ର ମିଳିତ ସହଯୋଗରେ ‘ଓଡ଼ିଶାରେ ବିପର୍ଯ୍ୟୟ-ସହନଶୀଳ ଶକ୍ତି ବ୍ୟବସ୍ଥାର ବିକାଶ ନିମନ୍ତେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ଓ ବୈଦ୍ୟୁତିକ ଯାନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ପ୍ରସାର କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି।

ଏକ ବିପର୍ଯ୍ୟୟପ୍ରବଣ ଉପକୂଳବର୍ତ୍ତୀ ରାଜ୍ୟ ଭାବେ ଓଡ଼ିଶା ପ୍ରତିବର୍ଷ ବାତ୍ୟା, ବନ୍ୟା ଓ ବିଭିନ୍ନ ପ୍ରତିକୂଳ ପାଣିପାଗଜନିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ଏହି ବିପର୍ଯ୍ୟୟ ଯୋଗୁଁ ଅନେକ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥାଏ। ବିପର୍ଯ୍ୟୟ ସମୟରେ ଅସୁରକ୍ଷିତ ଓ ପ୍ରଭାବିତ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଜରୁରୀକାଳୀନ ସେବା ଯୋଗାଇବାରେ ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକ (Multipurpose Disaster Shelters) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଆଲୋକ, ଯୋଗାଯୋଗ, ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ମୌଳିକ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଅତ୍ୟନ୍ତ ଜରୁରୀ।

ଏହି ପରିପ୍ରେକ୍ଷୀରେ OSDMA ସହ ସମନ୍ୱୟରେ ଏହି ପ୍ରକଳ୍ପ ଅଧୀନରେ IRADe ପକ୍ଷରୁ ସୌରଶକ୍ତି ଓ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା (BESS) ଆଧାରିତ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ବୈଷୟିକ ଓ ଆର୍ଥିକ ସମ୍ଭାବ୍ୟତା ଅଧ୍ୟୟନ କରାଯିବା ସହ ଦୁଇଟି ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳୀରେ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ନରସିଂହପାଟଣା ଏବଂ ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ କେଉଟଜଙ୍ଗାଠାରେ ଥିବା ଦୁଇଟି ଆଶ୍ରୟସ୍ଥଳୀରେ ପ୍ରତ୍ୟେକ ୩ କିଲୋୱାଟ୍-ପିକ୍ (3 kWp) କ୍ଷମତାବିଶିଷ୍ଟ ସୌର ହାଇବ୍ରିଡ୍ ବିଦ୍ୟୁତ୍ ବ୍ୟବସ୍ଥା ସହ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (BESS) ସ୍ଥାପନ କରାଯାଇଛି। ଏହି ପଦକ୍ଷେପରେ OSDMA, ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) ଏବଂ ସମ୍ପୃକ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ କ୍ଷେତ୍ରସ୍ତରରେ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୌରଶକ୍ତି, ବ୍ୟାଟେରୀ ଶକ୍ତି ସଂରକ୍ଷଣ ଏବଂ ଅନୁପୂରକ ଶକ୍ତି ବ୍ୟବସ୍ଥାର ଉପଯୋଗ ମାଧ୍ୟମରେ ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକର ଶକ୍ତି ସହନଶୀଳତାକୁ ସୁଦୃଢ଼ କରିବା ଏବଂ ବିପର୍ଯ୍ୟୟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା।

କର୍ମଶାଳାରେ IRADeର ଉପନିର୍ଦ୍ଦେଶକ ଡ. ପ୍ରବଳ ଘୋଷ୍ ଆଶ୍ରୟସ୍ଥଳୀଗୁଡ଼ିକ ପାଇଁ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ବୈଷୟିକ ଓ ଆର୍ଥିକ ସମ୍ଭାବ୍ୟତା ସମ୍ପର୍କିତ ଅଧ୍ୟୟନ ଉପସ୍ଥାପନ କରିଥିଲେ। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ସଠିକ୍ ଭାବେ ପରିକଳ୍ପିତ ସୌରଶକ୍ତି (Solar PV) ଓ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ପାରମ୍ପରିକ ବିଦ୍ୟୁତ୍ ଗ୍ରୀଡ୍ ଏବଂ ଡିଜେଲ୍ ଭିତ୍ତିକ ବିକଳ୍ପ ବିଦ୍ୟୁତ୍ ଯୋଗାଣ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇପାରିବ।

ସ୍ଥାୟୀ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସହ ବିକଳ୍ପ ବିଦ୍ୟୁତ୍ ଯୋଗାଣକୁ ସମନ୍ୱିତ କରି କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମାଧ୍ୟମରେ ବିଦ୍ୟୁତ୍ ଗ୍ରୀଡ୍ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ରହିଲେ ମଧ୍ୟ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀର ଅତ୍ୟାବଶ୍ୟକ ବିଦ୍ୟୁତ୍ ଚାହିଦା ପୂରଣ କରାଯାଇପାରିବ। ତେବେ ଏହା ବ୍ୟବସ୍ଥାର ପରିକଳ୍ପନା, ବ୍ୟାଟେରୀର କ୍ଷମତା, ଅତ୍ୟାବଶ୍ୟକ ବିଦ୍ୟୁତ୍ ଚାହିଦା ଏବଂ ବୈଦ୍ୟୁତିକ ଯାନର ଉପଲବ୍ଧତା ଉପରେ ନିର୍ଭର କରିବ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସାଧାରଣ ସମୟରେ ଏହି ବ୍ୟବସ୍ଥାଗୁଡ଼ିକ ବିଦ୍ୟୁତ୍ ଗ୍ରୀଡ୍‌ରୁ ଶକ୍ତି ବ୍ୟବହାର ଓ ସମ୍ପୃକ୍ତ ଖର୍ଚ୍ଚ ହ୍ରାସ କରିବା ସହ ବିପର୍ଯ୍ୟୟ ସମୟରେ ଆବଶ୍ୟକ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିପାରିବ।

ଏହି ପଦକ୍ଷେପ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନ ଦିଗରେ OSDMAର ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ସହ ଗୁରୁତ୍ୱପୂର୍ଣ୍ଣ ସାମୁଦାୟିକ ଭିତ୍ତିଭୂମିର ପ୍ରସ୍ତୁତି ଓ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବ। ବିକେନ୍ଦ୍ରୀକୃତ ଓ ନିର୍ଭରଯୋଗ୍ୟ ଶକ୍ତି ବ୍ୟବସ୍ଥା ମାଧ୍ୟମରେ ପାରମ୍ପରିକ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଲେ ମଧ୍ୟ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକରେ ଅତ୍ୟାବଶ୍ୟକ ସେବାକୁ କାର୍ଯ୍ୟକ୍ଷମ ରଖାଯାଇପାରିବ।

ଏହି ପ୍ରକଳ୍ପରେ ସୌରଶକ୍ତି ଓ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦ୍ୱିମୁଖୀ ଭୂମିକା ନିର୍ବାହ କରିବ। ଏହା ସାଧାରଣ ସମୟରେ ଆଶ୍ରୟସ୍ଥଳୀଗୁଡ଼ିକର ଦୈନନ୍ଦିନ କାର୍ଯ୍ୟକୁ ସହାୟତା କରିବା ସହ ବିପର୍ଯ୍ୟୟ ସମୟରେ ନିର୍ଭରଯୋଗ୍ୟ ବିକଳ୍ପ ବିଦ୍ୟୁତ୍ ଯୋଗାଣର ଉତ୍ସ ଭାବେ କାର୍ଯ୍ୟ କରିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୮୦୦ରୁ ଅଧିକ ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଏବଂ ବିଦ୍ୟାଳୟ-ସହ-ଆଶ୍ରୟସ୍ଥଳୀ ରହିଥିବାରୁ ଏହି ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଏଭଳି ବିପର୍ଯ୍ୟୟ-ସହନଶୀଳ ଶକ୍ତି ବ୍ୟବସ୍ଥାର ପ୍ରଚଳନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଶେଷକରି ବାତ୍ୟା ଓ ବନ୍ୟାପ୍ରବଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ପ୍ରାଥମିକତା ଭିତ୍ତିରେ ସମ୍ପ୍ରସାରଣ କରାଯାଇପାରିବ।

ପାଇଲଟ୍ ପ୍ରକଳ୍ପର ଅଭିଜ୍ଞତା ଓ ଶିକ୍ଷାକୁ ଆଧାର କରି ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ବୈଷୟିକ ମାନଦଣ୍ଡ, ବିପଦ ଆକଳନ ଆଧାରିତ ଶକ୍ତି ବ୍ୟବସ୍ଥାର ରୂପରେଖ, ଅତ୍ୟାବଶ୍ୟକ ବିଦ୍ୟୁତ୍ ଚାହିଦା, ଅର୍ଥ ଯୋଗାଣ ବ୍ୟବସ୍ଥା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କିତ ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଉଛି ।

ଏହି ଅବସରରେ OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁଶ୍ମିତା ବେହେରା ଏହି ପ୍ରକଳ୍ପରେ ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବାରୁ IRADeକୁ ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକରେ ସୌରଶକ୍ତି ଓ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ସମନ୍ୱିତ ପ୍ରଚଳନ କ୍ଷେତ୍ରରେ ଏହା ଏକ ଅଭିନବ ତଥା ପ୍ରଥମ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଅନ୍ୟାନ୍ୟ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକରେ ମଧ୍ୟ ଏହି ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବ୍ୟାପକ ସମ୍ଭାବନା ରହିଛି ବୋଲି ସେ ମତବ୍ୟକ୍ତ କରିବା ସହ ପାଇଲଟ୍ ପ୍ରକଳ୍ପରୁ ମିଳିଥିବା ଅଭିଜ୍ଞତା ଓ ଶିକ୍ଷା ଭବିଷ୍ୟତରେ ଏହି ପଦକ୍ଷେପକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି କହିଥିଲେ।

OSDMAର ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ପ୍ରକଳ୍ପ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛ ଶକ୍ତି ସମାଧାନର ସମନ୍ୱୟ ଏବଂ ଗୁରୁତ୍ୱପୂର୍ଣ୍ଣ ସାମୁଦାୟିକ ଭିତ୍ତିଭୂମିର ସହନଶୀଳତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅକ୍ଷୟ ଶକ୍ତି, ବ୍ୟାଟେରୀ ଶକ୍ତି ସଂରକ୍ଷଣ ଓ ଉପଯୁକ୍ତ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସମନ୍ୱୟ ମାଧ୍ୟମରେ ଓଡ଼ିଶାର ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକୁ ଅଧିକ ଶକ୍ତି-ସୁରକ୍ଷିତ, କାର୍ଯ୍ୟକ୍ଷମ ଓ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ କରାଯାଇପାରିବ। ଏହା ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନର ବ୍ୟାପକ ଲକ୍ଷ୍ୟକୁ ସାକାର କରିବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଥିଲେ।

IRADeର ନିର୍ଦ୍ଦେଶକ ଶ୍ରୀ ରୋହିତ ମାଗୋତ୍ରା ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳୀଗୁଡ଼ିକର ଶକ୍ତି ସୁରକ୍ଷା ଓ ବିପର୍ଯ୍ୟୟ-ସହନଶୀଳତା ବୃଦ୍ଧି ପାଇଁ ପାରମ୍ପରିକ ଓ ଆଧୁନିକ ପ୍ରଯୁକ୍ତିର ସମନ୍ୱିତ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପାଇଲଟ୍ ପ୍ରକଳ୍ପରୁ ମିଳିଥିବା ଅଭିଜ୍ଞତା ଆଧାରରେ ଏଭଳି ସମନ୍ୱିତ ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାର ପରିକଳ୍ପନା ଓ ବିକାଶ କରାଯାଇପାରିବ, ଯାହାକୁ ସ୍ଥାନୀୟ ସମୁଦାୟ ନିଜେ ପରିଚାଳନା କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କର୍ମଶାଳାରେ ଶକ୍ତି ବିଭାଗ, ଅକ୍ଷୟ ଶକ୍ତି ସଂସ୍ଥା, ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ (DISCOMs), ଗ୍ରାମସ୍ତରୀୟ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ପରିଚାଳନା କମିଟି, ସୌର ଶକ୍ତି ଉପକରଣ ବିକାଶକାରୀ, ବ୍ୟାଟେରୀ ନିର୍ମାତା, ଗବେଷଣା ସଂସ୍ଥା ଏବଂ ସିଭିଲ୍ ସୋସାଇଟିର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ବ୍ୟବସ୍ଥାର ବ୍ୟାପକ ପ୍ରଚଳନ ନିମନ୍ତେ ଆବଶ୍ୟକ ବୈଷୟିକ, ଆର୍ଥିକ, ଅନୁଷ୍ଠାନିକ ଓ ନୀତିଗତ ପଦକ୍ଷେପ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ସମ୍ପୃକ୍ତ ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି, ବିଦ୍ୟମାନ ଯୋଜନା ଓ ଅର୍ଥ ଯୋଗାଣ ବ୍ୟବସ୍ଥାର ସମନ୍ୱୟ ଏବଂ ସ୍ଥାନୀୟ ସ୍ତରରେ ଏହି ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଦକ୍ଷତା ବିକାଶ ଏହାର ଦୀର୍ଘକାଳୀନ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା।