ସୋଆର ପଦାର୍ଥ ବିଜ୍ଞାନ ପ୍ରଫେସରଙ୍କ ଦ୍ୱାରା ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

ଆଣ୍ଡାମାନର ଶ୍ରୀ ବିଜୟ ପୁରମ୍‌‌ଠାରେ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୨୭/୧୧: ଭାରତୀୟ ଜ୍ଞାନ ପରଂପରା (ଇଣ୍ଡିଆନ ନଲେଜ୍ ସିଷ୍ଟମ୍‌ସ-ଆଇକେଏସ୍‌)ର ଗୁରୁତ୍ୱ ଏବଂ ଆଧୁନିକ ଶିକ୍ଷା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ଏହାର ପ୍ରାସଙ୍ଗିକତା ସଂପର୍କରେ ଆଣ୍ଡାମାନର ଶ୍ରୀ ବିଜୟ ପୁରମ୍‌‌ (ପୂର୍ବତନ ପୋର୍ଟ ବ୍ଲେୟାର) ଠାରେ ଆୟୋଜିତ ତିନି ଦିନିଆ ଅଭିମୁଖୀକରଣ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋକପାତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ନଚିକେତା କେ. ଶର୍ମା ।

କାର୍ଯ୍ୟକ୍ରମର ଉଦ୍‌‌ଘାଟନୀ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଶର୍ମା ଭାରତୀୟ ଜ୍ଞାନ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପରବର୍ତୀ ଅଧିବେଶନଗୁଡ଼ିକରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ସେ ପ୍ରାଚୀନ ଭାରତୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂପର୍କରେ ଧାରଣା ଦେବା ସହ ‘ମାନ ଯନ୍ତ୍ର’ ଓ ‘ଧନୁର ଯନ୍ତ୍ର’ ନିର୍ମାଣର ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ ।

ଏହି ପ୍ରଦର୍ଶନ ମାଧ୍ୟମରେ ପାରଂପରିକ ଯନ୍ତ୍ରଗୁଡ଼ିକର ରୂପରେଖ, ନିର୍ମାଣ କୌଶଳ ଏବଂ ସେଗୁଡ଼ିକ ପଛରେ ଥିବା ବୈଜ୍ଞାନିକ ନୀତି ସଂପର୍କରେ ଶିକ୍ଷକମାନେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ ।

ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାକୁ ଶ୍ରୀ ବିଜୟ ପୁରମ୍‌‌ସ୍ଥିତ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟର ଆଇକେଏସ୍‌‌ ବିଭାଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଶିକ୍ଷା ବିଭାଗ ସହଯୋଗରେ ଆୟୋଜନ କରାଯାଇଥିଲା । ଭାରତର ସମୃଦ୍ଧ ପାରଂପରିକ ବୈଜ୍ଞାନିକ ଜ୍ଞାନ ସଂପର୍କରେ ଶିକ୍ଷକମାନଙ୍କୁ ଅବଗତ କରାଇବା ସହ ଏହାକୁ ଆଧୁନିକ ଶ୍ରେଣୀ ଗୃହର ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ କିପରି ସାମିଲ କରାଯାଇପାରିବ ସେ ନେଇ ଅନୁସନ୍ଧାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।