ଓଡ଼ିଶାର ସହରାଞ୍ଚଳ ଶାସନ ଓ ସେବା ଯୋଗାଣର ସମୀକ୍ଷା କଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ

ଉତ୍ତରଦାୟିତ୍ୱ, ରାଜସ୍ୱ ବୃଦ୍ଧି ଏବଂ ନାଗରିକ-କେନ୍ଦ୍ରିକ ସହରୀ ବିକାଶ ଉପରେ ଏସିଏସ୍ ଶ୍ରୀମତୀ ଉଷା ପାଢ଼ୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୯/୦୫: ଓଡ଼ିଶାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କମିଶନର ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଆଜି ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ସହରାଞ୍ଚଳ ଶାସନ, ପୌର ସେବା ଯୋଗାଣ, ଆର୍ଥିକ ପରିଚାଳନା, ଭିତ୍ତିଭୂମି ବିକାଶ, ପରିମଳ, ଗୃହନିର୍ମାଣ, ଜଳ ଯୋଗାଣ ଏବଂ ରାଜ୍ୟର ପ୍ରମୁଖ ସହରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ଦିନିକିଆ ସମୀକ୍ଷା ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ୱାଟକୋ , ପିଏଚ୍ଇଓ , କ୍ରୁଟ୍ , ପିଏମ୍‌ଏୱାଇ-ୟୁ , ଓୟୁଏଚ୍‌ଏମ୍ ଏବଂ ଅନ୍ୟାନ୍ୟ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି ସମୀକ୍ଷା ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମାନ୍ୟବର ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସହରାଞ୍ଚଳ ଶାସନ ଏବଂ ପ୍ରଶାସନିକ ଉତ୍ତରଦାୟିତ୍ଵ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସକ୍ରିୟ ସହରୀ ପରିଚାଳନା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବା ପାଇଁ ତୁରନ୍ତ ଡ୍ରେନେଜ୍ ସଫେଇ ଏବଂ ପରିମଳ ବ୍ୟବସ୍ଥାକୁ ଜୋରଦାର କରିବାକୁ ସମସ୍ତ ୟୁଏଲ୍‌ବିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ, ନୂତନ ଭାବେ ଘୋଷିତ ବିଜ୍ଞପ୍ତିତ ଅଞ୍ଚଳ ପରିଷଦ ଗୁଡ଼ିକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସ୍ୱାଗତ ଦ୍ୱାର (Welcome Gate) ର ଏକ ସମାନ ଡିଜାଇନ୍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆର୍ଥିକ ସ୍ୱାବଲମ୍ବନଶୀଳତା ଉପରେ ଗୁରୁତ୍ୱ ଆରୋପ କରି ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ, ପୌର ସଂସ୍ଥାଗୁଡ଼ିକ ପାରମ୍ପରିକ ରାଜସ୍ୱ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରି ଅଭିନବ ଉପାୟରେ ଅତିକମରେ ୫୦ ପ୍ରତିଶତ ସ୍ୱାବଲମ୍ବନଶୀଳତା ହାସଲ କରିବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରନ୍ତୁ।

ପ୍ରାତିଷ୍ଠାନିକ ଉତ୍ତରଦାୟିତ୍ଵ ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ସମସ୍ତ ୟୁଏଲ୍‌ବି କର୍ମଚାରୀଙ୍କ ନିମନ୍ତେ ଏକ ଡିଜିଟାଲ୍ କର୍ମଚାରୀ ଡାଟାବେସ୍ ଏବଂ ବାଧ୍ୟତାମୂଳକ ମାସିକ ପ୍ରଗତି ରିପୋର୍ଟ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ନିଜ ପ୍ରାରମ୍ଭିକ ଅଭିଭାଷଣରେ ଓଡ଼ିଶାର ସହରାଞ୍ଚଳର ଭବିଷ୍ୟତ ପାଇଁ ଏକ ରୂପାନ୍ତରଣମୂଳକ ଦୂରଦୃଷ୍ଟି ଉପସ୍ଥାପନ କରିବା ସହ ଉତ୍ତରଦାୟୀ, ସ୍ୱଚ୍ଛ, ଜବାବଦେହିତା ଏବଂ ନାଗରିକ-କେନ୍ଦ୍ରିକ ଶାସନ ଉପରେ ବଳ ଦେଇଥିଲେ। ଓଡ଼ିଶାର ଦୀର୍ଘକାଳୀନ ବିକାଶ ଆଭିମୁଖ୍ୟ ସହ ସାମଞ୍ଜସ୍ୟ ରଖି ଏକ ସମନ୍ୱିତ ସହରୀ ବିକାଶ ଢାଞ୍ଚା ଅଧୀନରେ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଗୃହନିର୍ମାଣ, ଜଳ ଯୋଗାଣ, ସବୁଜ ଭିତ୍ତିଭୂମି ଏବଂ ସ୍ମାର୍ଟ ସିଟି କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଭାରତ ସରକାରଙ୍କ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ବିଶିଷ୍ଟ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ଅଧୀନରେ ଥିବା ନୂତନ ସୁଯୋଗଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ପ୍ରତିଯୋଗିତାମୂଳକ ପାଣ୍ଠି ସହାୟତା ପାଇବା ପାଇଁ ୟୁଏଲ୍‌ବି ଗୁଡ଼ିକ ପ୍ରକଳ୍ପ ପ୍ରସ୍ତୁତି, ଅଭିନବ ଚିନ୍ତାଧାରା ଏବଂ ପ୍ରାତିଷ୍ଠାନିକ ଦକ୍ଷତା ବୃଦ୍ଧି କରନ୍ତୁ। ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସେ ଆନୁଷ୍ଠାନିକ ଅର୍ଥ ପ୍ରଦାନ ବ୍ୟବସ୍ଥା, ସରକାରୀ-ବେସରକାରୀ ସହଭାଗିତା ମଡେଲ ଏବଂ କ୍ରେଡିଟ୍-ଲିଙ୍କ୍ଡ ଅର୍ଥାୟନ ପ୍ରକ୍ରିୟାର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ପୌର ପ୍ରଶାସନର ସମୀକ୍ଷା କରି ସହରୀ ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଦାକୁଆ ରାଜସ୍ୱ ବୃଦ୍ଧି, ଆକଳନ ବ୍ୟବସ୍ଥା ଏବଂ ୟୁଏଲ୍‌ବି ଗୁଡ଼ିକର କାର୍ଯ୍ୟଦକ୍ଷତା ରିପୋର୍ଟ କାର୍ଡ ସମ୍ପର୍କରେ ଆଲୋଚନା କରିଥିଲେ। ପୌର ସଂସ୍ଥାଗୁଡ଼ିକର ନିଜସ୍ୱ ଆୟ ବୃଦ୍ଧି ଏବଂ ଆର୍ଥିକ ସ୍ଥିରତା ଉପରେ ଏହି ଅବସରରେ ଆଲୋଚନା ହୋଇଥିଲା। ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ସହରୀ ପରିବେଶର ସନ୍ତୁଳନ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଯୋଜନାବଦ୍ଧ ସହରୀ ସମ୍ପ୍ରସାରଣ ଏବଂ ଦ୍ରୁତ ସହରୀକରଣ ହେଉଥିବା ଅଞ୍ଚଳଗୁଡ଼ିକର ସନ୍ତୁଳିତ ବିକାଶ ଉପରେ ଆଧାରିତ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ଏବଂ ‘ଗ୍ରାମୀଣ-ସହରୀ ରୂପାନ୍ତରଣ ନୀତି’ ସମ୍ପର୍କରେ ଅତିରିକ୍ତ ସଚିବ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଏକ ଉପସ୍ଥାପନା କରିଥିଲେ।

ଆର୍ଥିକ ପରିଚାଳନା ସହିତ କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ରାଜ୍ୟ ଅର୍ଥ କମିଶନର ମାର୍ଗଦର୍ଶିକା ସମ୍ପର୍କରେ ଅର୍ଥ ପରାମର୍ଶଦାତା-ତଥା- ସ୍ଵତନ୍ତ୍ର ସଚିବ ଶ୍ରୀମତୀ ଶିଖା ବିଶ୍ୱାଳ ଆଲୋଚନା କରିଥିଲେ। ୟୁଏଲ୍‌ବି ଗୁଡ଼ିକୁ ଆର୍ଥିକ ଶୃଙ୍ଖଳା ରକ୍ଷା କରିବା, ଅନୁଦାନର ସଦୁପଯୋଗ କରିବା ଏବଂ ବ୍ୟୟ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷାରେ ସହରାଞ୍ଚଳ ଜଳ ଯୋଗାଣ ଭିତ୍ତିଭୂମିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା। ୱାଟକୋର ପରିଚାଳନା ନିର୍ଦ୍ଦେଶକ ଏବଂ ପିଏଚ୍ଇଓର ଇଞ୍ଜିନିୟର-ଇନ୍-ଚିଫ୍ ‘ସୁଜଳ ମିଶନ’ ଅଧୀନରେ ୨୪x୭ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ସୁବିଧା ଏବଂ ସମସ୍ତ ସହରାଞ୍ଚଳରେ ପାଇପ୍ ଜଳ ଯୋଗାଣର ସଂଯୋଗୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ଅଧିବେଶନରେ ‘ସହଯୋଗ’ ଅଭିଯାନ ଏବଂ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା ତଥା ସମ୍ପଦର ପୁନରୁଦ୍ଧାର ପାଇଁ ‘ୱେଷ୍ଟ ଟୁ ୱେଲଥ୍’ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ସ୍ୱଚ୍ଛ ସହର ଗଠନ ପାଇଁ ଗୋଷ୍ଠୀଗତ ସହଭାଗିତା, ଆଚରଣଗତ ପରିବର୍ତ୍ତନ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା।

କଠିନ ବର୍ଜ୍ୟବସ୍ତୁ ପରିଚାଳନା, ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ‘ଗରିମା’ ଯୋଜନା ସମେତ ସହରୀ ପରିମଳ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ସମୀକ୍ଷା କରାଯାଇଥିଲା। ପରିମଳ ମାନଦଣ୍ଡ ବଜାୟ ରଖିବାରେ ୟୁଏଲ୍‌ବି ଗୁଡ଼ିକର ପ୍ରଦର୍ଶନର ଆକଳନ କରାଯିବା ସହ ବର୍ଜ୍ୟବସ୍ତୁ ପୃଥକୀକରଣ, ବୈଜ୍ଞାନିକ ପଦ୍ଧତିରେ ଏହାର ନିଷ୍ପାଦନ ଏବଂ ପରିମଳ କର୍ମଚାରୀଙ୍କ କଲ୍ୟାଣମୂଳକ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।

ପିଏମ୍‌ଏୱାଇ (ସହରାଞ୍ଚଳ) ଏବଂ ପିଏମ୍‌ଏୱାଇ (ସହରାଞ୍ଚଳ) ୨.୦ ଅଧୀନରେ ସହରୀ ଗୃହନିର୍ମାଣ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ସହରୀ ଗରିବ ଲୋକଙ୍କ ପାଇଁ ସୁଲଭ ମୂଲ୍ୟର ଗୃହ ନିର୍ମାଣ ପ୍ରକଳ୍ପ ଏବଂ ହିତାଧିକାରୀଙ୍କୁ ସାମିଲ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନୂତନ ଭାବେ ଗଠିତ ୟୁଏଲ୍‌ବି ଗୁଡ଼ିକର ପ୍ରାତିଷ୍ଠାନିକ ସୁଦୃଢ଼ୀକରଣ, ପ୍ରଶାସନିକ ପ୍ରସ୍ତୁତି ଏବଂ ଦକ୍ଷତା ବିକାଶ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା। କ୍ରୁଟର ଜିଏମ୍ ସହରୀ ଯୋଜନା ଓ ପରିବହନ ବ୍ୟବସ୍ଥାର ସମୀକ୍ଷା ସମ୍ପର୍କରେ ଉପସ୍ଥାପନ କରିଥିଲେ , ଯେଉଁଥିରେ ସମନ୍ୱିତ ପରିବହନ ବ୍ୟବସ୍ଥା ଏବଂ ସର୍ବସାଧାରଣ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ବଳ ଦିଆଯାଇଥିଲା।

ଜନସାଧାରଣଙ୍କ ସୁରକ୍ଷା, ସହରର ସୌନ୍ଦର୍ଯ୍ୟକରଣ ଏବଂ ଶକ୍ତି ସଂରକ୍ଷଣ ପାଇଁ ସହରାଞ୍ଚଳରେ ‘ସ୍ମାର୍ଟ ଏଲ୍‌ଇଡି’ ଷ୍ଟ୍ରିଟ୍ ଲାଇଟ୍‌ର ଶତପ୍ରତିଶତ କାର୍ଯ୍ୟକାରିତା ଓ ଅଗ୍ରଗତିର ମଧ୍ୟ ଆକଳନ କରାଯାଇଥିଲା।

ସମ୍ମିଳନୀର ସମାପ୍ତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ସମସ୍ତ ୟୁଏଲ୍‌ବି ଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତ କରିବା, ଫ୍ଲାଗସିପ୍ ଯୋଜନାଗୁଡ଼ିକର ନିୟମିତ ଅନୁଧ୍ୟାନ, ଅଭିନବ ପ୍ରୟାସ ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ଶାସନ ପ୍ରଣାଳୀ ଆପଣେଇ ଓଡ଼ିଶାରେ ସ୍ଥାୟୀ, ସହନଶୀଳ ଏବଂ ସମାବେଶୀ ସହରୀ ବିକାଶ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।