ବ୍ରହ୍ମପୁର, ୦୧/୦୬: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ମାନବାଧିକାର ସୁରକ୍ଷା ସେଲ୍ (HRPC) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ।
ସୂଚନାଯୋଗ୍ୟ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ବାସିନ୍ଦା ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମଲାରେ ତାଙ୍କୁ ଥାନାକୁ ଆଣିଥିଲା ପୋଲିସ। କିନ୍ତୁ ଥାନାରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା।
ଆକ୍ରମଣ ପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆସ୍କା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ତାଙ୍କ ପରିବାର ଲୋକ।