କଲ୍ୟାଣସିଂହପୁର ସମବାୟ ସମିତିର ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ନିଲମ୍ବନ
ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସର ଚଢ଼ାଉ
କଲ୍ୟାଣସିଂହପୁର, ୦୧/୦୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃର ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଦୁର୍ନୀତି ମାମଲାରେ ଚାକିରୀ କ୍ଷେତ୍ରରୁ ନିଲମ୍ବିତ କରାଯାଇଛି। ରାୟଗଡା ସହକାରୀ ସମିତି ସହାୟକ ନିବନ୍ଧକ କାର୍ଯ୍ୟାଳୟ, ରାୟଗଡ଼ା ସର୍କିଲଙ୍କ ପତ୍ର ସଂଖ୍ୟା ୬୦୧ ମେ ମାସ ୨୫ ତାରିଖରେ ଉଲ୍ଲେଖ ରହିଛି ଯେ, କୋରାପୁଟ ଡିଭିଜନ, ଜୟପୁରର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଜଣାଇ ଦିଆଯାଇଛି ଯେ, କଳ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ କୋରାପୁଟ ଭିଜିଲାନ୍ସ ଥାନା ମାମଲା ନଂ ୦୮ ମେ ମାସ ୨୧ ତାରିଖରେ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି।
ଏହି ପରିସ୍ଥିତିରେ ଓସିଏସ ଆଇନ ୧୯୬୨ର ଧାରା ୬୫(୩)(ଡି ), (OCS) ଓସିଏସ ନିୟମ ୧୯୬୫ ର ନିୟମ ୬୮ ଏବଂ ଷ୍ଟାଫ ସର୍ଭିସ ନିୟମ ୨୦୧୧ର ନିୟମ ୨୧ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳେ, କଳ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳକ ଭାବେ କାର୍ଯ୍ୟରତ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ସ୍ଥାନରେ (ଏଆରସିଏସ) ସହାୟକ ନିବନ୍ଧକ ଜନ୍ମେଜୟ ମହାପାତ୍ର, ସହକାରୀ ସମିତି, ରାୟଗଡ଼ା ସର୍କିଲଙ୍କୁ ନିଯୁକ୍ତ କରାଯାଉଛି। ସହକାରୀ ସମିତି, ଭୁବନେଶ୍ୱରଙ୍କ ଆଦେଶ ଅନୁସାରେ ରାୟଗଡା ସର୍କଲର ସହକାରୀ ସମିତିର ସହକାରୀ ନିବନ୍ଧକ, ଜନ୍ମେଜୟ ମହାପାତ୍ର କଲ୍ୟାଣ ସିଂହପୁର ଲ୍ୟାମ୍ପ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ତତ୍କ୍ଷଣାତ୍ ନିଲମ୍ବନ କରି ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶେଷ ହେବା ପର୍ଯ୍ୟନ୍ତ ଏହି ନିଲମ୍ବନ ଜାରି ରହିବ। ନିଲମ୍ବନ ଅବଧିରେ ତାଙ୍କର ମୁଖ୍ୟାଳୟ ଜୟପୁର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ, ରାୟଗଡ଼ା ଶାଖା କାର୍ଯ୍ୟାଳୟରେ ନିର୍ଦ୍ଧାରିତ ହେବ। ସହାୟକ ନିବନ୍ଧକଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ।
ନିଲମ୍ବନ ସମୟରେ ଓଡ଼ିଶା ସେବା ସଂହିତାର ନିୟମ ୯୦ ଏବଂ ଷ୍ଟାଫ ସର୍ଭିସ ନିୟମ ୨୦୧୧ ଅନୁଯାୟୀ ସେ ଜୀବିକା ଭତ୍ତା ପାଇବାକୁ ଅଧିକାରୀ ହେବେ। ସ୍ମାରକ ସଂଖ୍ୟା ୬୦୨ରେ କଲ୍ୟାଣସିଂହପୁର ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃର ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ସୂଚନା ଏବଂ ମାର୍ଗଦର୍ଶନ ପାଇଁ ପଠାଯାଇଥିଲା।
ପ୍ରକାଶ ଥାଉକି ଲ୍ୟାମ୍ପସ୍ ର ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଭିଜିଲାନ୍ସର ଏକ ଟିମ୍ ଜିଲୁଣ୍ଡା ବାସଭବନରେ ଚଢାଉ କରିଥିଲେ । ଏହି ଚଢାଉରେ ଭିଜିଲାନ୍ସ ବିଭାଗ ଘରେ ଥିବା ବ୍ୟାଙ୍କ ପାସବୁକ୍, ଇନସ୍ୟୁରାନସ୍ ଓ ଅନ୍ୟ ଆସବାବପତ୍ର ଜବତ କରି ଯାଞ୍ଚ୍ ଆରମ୍ଭ କରିଛି। ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରିଥିଲା। ଲ୍ୟାମ୍ପସ୍ ର ପରିଚାଳନା, ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ପାଖାପାଖି ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଲ୍ୟାମ୍ପସ୍ ରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀ ମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା । ଏହି ତଦନ୍ତରେ ଟଙ୍କା ନେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା । ସେହିପରି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ବ୍ୟାଙ୍କ ଏକାଉଣ୍ଟରୁ ତାଳମେଳ ହୋଇନଥିଲା । ଏହା ପରେ ଲ୍ୟାମ୍ପ ପରିଚାଳନା କମିଟି ଏକ ଜରୁରୀ ବୈଠକ ଡକାଇ ସମିତିର ପରିଚାଳକ ପଦବୀରୁ ଓହରି ଅନ୍ୟ ଏକ କର୍ମଚାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇ ନିଷ୍ପତି ନେଇଥିଲେ। କିନ୍ତୁ ସେ କମିଟି ଓ ଅଧିକାରୀଙ୍କ କଥା କୁ ଅବମାନନା କରି ରହିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ ଟିମ୍ ସମସ୍ତ ଲ୍ୟାମ୍ପସ୍ କାଗଜପତ୍ର ଜବତ କରିଥିଲା। ଆଜି ଭିଜିଲାନ୍ସର ଏକ ଟିମ୍ ସମବାୟ ସମିତି ଲିଃର ପରିଚାଳକଙ୍କ ବାସଗୃହରେ ଟିକିନିଖି ଯାଞ୍ଚ କରିଛି। ପରେ ଅଧିକ ପଚରାଉଚରା ପାଇଁ ତାରିଣୀ ତ୍ରିପାଠୀଙ୍କୁ ରାୟଗଡା ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଟକ ରଖାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ଦସ୍ତାବିଜର ଯାଞ୍ଚ ପରତାଳ ଚାଲିଥିବା ବେଳେ ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଲ୍ୟାମ୍ପସ୍ରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ୭୫ ଲକ୍ଷ ଟଙ୍କା ଠକେଇ ମାମଲାରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।