କେରଳମ୍ ଛୁଇଁଲା ମୌସୁମୀ

୧୨‌ ଦିନ ପରେ ଓଡ଼ିଶାରେ ପହଞ୍ଚିପାରେ

ନୂଆଦିଲ୍ଲୀ, ୦୪/୦୬: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଅନୁଯାୟୀ, ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି କେରଳମରେ ପ୍ରବେଶ କରିଛି। ଏହା ସହିତ କେରଳମର ମୁଖ୍ୟ ଭୂ-ଭାଗକୁ ଛୁଇଁ ଛି ମୌସୁମୀ। ସାଧାରଣତଃ ମୌସୁମୀ ଜୁନ୍ ୧ ତାରିଖରେ କେରଳ ଛୁଇଁଥାଏ, କିନ୍ତୁ ଏଥର କିଛି ଦିନ ବିଳମ୍ବ ହୋଇଛି।

IMD ମେ’ ମାସରେ ଘୋଷଣା କରିଥିଲା ଯେ ମୌସୁମୀ ମେ’ ୨୬ ତାରିଖ ଆଖପାଖରେ କେରଳରେ ପ୍ରବେଶ କରିବ। କିନ୍ତୁ ବାୟୁମଣ୍ଡଳୀୟ ପରିସ୍ଥିତି ଅନୁକୂଳ ନହେବାରୁ ଏହା ବିଳମ୍ବ ହୋଇ ଜୁନ୍ ୪ ତାରିଖରେ ପହଞ୍ଚିଛି।

କେରଳ ପହଞ୍ଚିବା ପରେ ମୌସୁମୀ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ିବ। ଆଗାମୀ କିଛି ଦିନ ଭିତରେ ଏହା ଦକ୍ଷିଣ ତାମିଳନାଡ଼ୁ, କର୍ଣ୍ଣାଟକ ଉପକୂଳ ଓ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବେଶ କରିପାରେ। ଓଡ଼ିଶାରେ ପହଞ୍ଚିବାକୁ ଆଉ ୧୦ରୁ ୧୨ ଦିନ ଲାଗିପାରେ। ରଜ ବେଳକୁ ଓଡ଼ିଶାରେ ମୌସୁମୀ ପହଞ୍ଚିବା ନେଇ ଅନୁମାନ କରାଯାଉଛି।