ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୪ ମୃତ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ

ପାଟନା, ୦୪/୦୬: ଗୁରୁବାର ଉତ୍ତର ବିହାରର ମୁଜାଫରପୁର ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ଚାରି ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି।

ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ମୁଜାଫରପୁର ଜିଲ୍ଲାର ପ୍ରସାଦ ହସ୍ପିଟାଲର ପଞ୍ଚମ ମହଲାରେ ଭୋର ୩ଟା ୫୫ ମିନିଟ୍ ସମୟରେ ଅଗ୍ନିକାଣ୍ଡ ଘଟିଥିଲା।

ଅଗ୍ନିକାଣ୍ଡରେ ମୃତକଙ୍କ ନାଁ ହେଉଛି କୃଷ୍ଣନ୍ଦନ ପ୍ରସାଦ ସିଂହ (୭୬), ଗୀତା ଦେବୀ (୬୩), ଉଦୟ କୁମାର (୫୭) ଏବଂ ଶଶାଙ୍କ (୩୦)। ସେମାନଙ୍କ ମଧ୍ୟରୁ ତିନି ଜଣ ମୁଜାଫରପୁର ଜିଲ୍ଲାର ଏବଂ ଉଦୟ କୁମାର ପଡ଼ୋଶୀ ଶେଓହର ଜିଲ୍ଲାର ଥିଲେ।

ମୁଜାଫରପୁର ସହରର ବ୍ରହ୍ମପୁରାଣ ଅଞ୍ଚଳରେ ଥିବା ଏହି ହସ୍ପିଟାଲରେ ୨୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ, ଏବଂ ସେମାନଙ୍କ ମଧ୍ୟରୁ ୧୩ ଜଣ ଗୁରୁବାର ଦିନ ଅଗ୍ନିକାଣ୍ଡ ଘଟିଥିବା ଆଇସିୟୁରେ ଥିଲେ।

ଯଦିଓ ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।