ମୋତେ ପଦ୍ମପୁରରେ ବିଜେପି ପ୍ରାର୍ଥୀ କରିବ, ଦଳ ଘୋଷଣା କରିବା ପୂର୍ବରୁ ନିଜ ପ୍ରାର୍ଥୀତ୍ୱକୁ ନେଇ ସଂକେତ ଦେଲେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ । ଏନେଇ ସୂଚନା ଦେଇଛନ୍ତି ନିଜେ ବିଜେପି ବିଧାୟିକା କୁସୁମ ଟେଟେ । ପ୍ରଦୀପ ପୁରୋହିତ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ପ୍ରମୁଖ ବିଜେପି ନେତାଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା କହିଛନ୍ତି କୁସୁମ ଟେଟେ ।

ସେହିଭଳି ପଦ୍ମପୁର ଉପ-ନିର୍ବାଚନରେ ବିଜେପି ଟିକେଟ ପାଇଁ ଆଶାୟୀ ଥିବା ପ୍ରଦୀପ ପୁରୋହିତ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦ ମୋ ଉପରେ ଭରସା କରିଛନ୍ତି । ମୋତେ ପଦ୍ମପୁରରେ ଦଳ ପ୍ରାର୍ଥୀ କରିବ, ଦଳକୁ ଜିତାଇବା ମୋର ଦାୟିତ୍ୱ । ଧାମନଗରରେ ବିଜେପିର ବିଜୟ ହୋଇଛି, ପଦ୍ମପୁରରେ ବି ଏହାର ପୁନରାବୃତ୍ତି ହେବ । ଦଳର ଶକ୍ତି, ସାମର୍ଥ୍ୟ ଓ ଭୋଟରଙ୍କ ଆଶୀର୍ବାଦ ବଳରେ ବିଜେପି ପଦ୍ମପୁରରେ ବିଜୟୀ ହେବ ବୋଲି ପ୍ରଦୀପ କହିଛନ୍ତି ।

ଚାଷୀଙ୍କ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଯିବୁ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟ ମାଗିବୁ । ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଠାରୁ ପରାଜିତ ହୋଇଥିଲେ ପ୍ରଦୀପ ପୁରୋହିତ । ଅନ୍ୟପଟେ ବିଜେଡି ମଧ୍ୟ ଏହି ଆସନକୁ ବଜାୟ ରଖିବାକୁ କଷୁଛି ଅଙ୍କ । ଦଳ ପକ୍ଷରୁ ଏଯାବତ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ କାହାକୁ ଦଳ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।