ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ
“ଲୋକଙ୍କ ସରକାର, ଲୋକଙ୍କ ସାଥେ; ରାଜସ୍ୱ ସେବା, ଏବେ ସବୁରି ହାତେ”
ଭୁବନେଶ୍ୱର, ୧୩/୦୬: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ କରକମଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦୁଇ ବର୍ଷର ସଫଳତା ପୁସ୍ତିକା ଏବଂ ଭିଡ଼ିଓର ଉନ୍ମୋଚନ ତଥା ଲୋକାର୍ପଣ ହୋଇଯାଇଛି l ଏହି ଅବସରରେ ପୁସ୍ତିକା ଉନ୍ମୋଚନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ତହସିଲରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଭାଗର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ନିରବଚ୍ଛିନ୍ନ ପ୍ରୟାସକୁ ସାଧୁବାଦ ଜଣାଇବା ସହ ବିଗତ ଦୁଇ ବର୍ଷର ସଫଳତା ଏବଂ ଉପଲବ୍ଧିକୁ ପାଥେୟ କରି ଆଗାମୀ ଦିନରେ ରାଜସ୍ୱ ବିଭାଗ ଲୋକସେବାର ଶୀର୍ଷ ସୋପାନରେ ପହଁଞ୍ଚିବ ବୋଲି ଆଶାବ୍ୟକ୍ତ କରିଛନ୍ତି l
ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଶୀର୍ଷକ ରହିଛି, “ବିକାଶର ଧାରା, ଓଡ଼ିଶା ସାରା” l ଏହି ପରିପ୍ରେକ୍ଷୀରେ ଉନ୍ମୋଚିତ ସଫଳତା ପୁସ୍ତିକାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସଂସ୍କାରମୂଳକ ପଦକ୍ଷେପ, ଲୋକାଭିମୁଖୀ ଯୋଜନା ଏବଂ ସେସବୁର ସଫଳ କାର୍ଯ୍ୟକାରିତା ତଥା ଆଗାମୀ ଦିନରେ ବିଭାଗର ନୂତନ କାର୍ଯ୍ୟପନ୍ଥା ସଂକଳିତ ହୋଇଛି l କଲମ୍ ୨ ବା ପ୍ରଜା ଖାତା ୨ ଖାନା ସଂଶୋଧନ, ଓଆରଟିପିଏସ୍ ଅଧୀନରେ ୨.୫ କୋଟିରୁ ଉର୍ଦ୍ଧ୍ଵ ରାଜସ୍ୱ ସେବା ପ୍ରଦାନ, ଜମିର କିସମ ହ୍ରାସ, ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ୍ ସେଲ୍ ପ୍ରତିଷ୍ଠା, ୧୦୮ ନୂତନ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ, ଜମିଜମା ମାମଲାର ସରଳ ଏବଂ ଶୀଘ୍ର ବନ୍ଦୋବସ୍ତ, ଜନଗଣନା, ତ୍ଵରିତ ବିପର୍ଯ୍ୟୟଜନିତ କ୍ଷତିପୂରଣ ପ୍ରଦାନ, ବାତ୍ୟା ଦାନା ଏବଂ ମନ୍ଥାରେ ଜିରୋ କାଜୁଆଲିଟି ସହ ସଫଳ ପରିଚାଳନା ପରି ଉଲ୍ଲେଖନୀୟ ସଫଳତା ରାଜସ୍ୱ ବିଭାଗକୁ ସାଧାରଣଜନତାଙ୍କ ନିକଟରେ ପହଞ୍ଚାଇଛି l ସେହିପରି ଆଗାମୀ ଦିନରେ “ଆମ ଗାଆଁରେ ଆମ ତହସିଲ୍” (Tahasil At Doorstep) କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ନିମନ୍ତେ State Institute Of Disaster Resilience (ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧୀ ପ୍ରତିଷ୍ଠାନ) ସ୍ଥାପନା, ନୂତନ ପୁନର୍ବାସ ଓ ଥଇଥାନ ଆଇନ୍ ଆଦି ଅନେକ ପଦକ୍ଷେପମାନ ଖୁବ୍ ଶୀଘ୍ର ସୂର୍ଯ୍ୟାଲୋକ ଦେଖିବାକୁ ଯାଉଛି l ଲୋକସେବାକୁ ସହଜଲବ୍ଧ ଏବଂ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରହିବ ବୋଲି ମାନ୍ୟବର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି l ସେହିପରି ବ୍ରିଟିଶ୍ ଅମଳରୁ ପ୍ରଚଳିତ ଓଡ଼ିଆ ସ୍ଥାନମାନଙ୍କର ଇଂରାଜୀ ଉଚ୍ଚାରଣ ଅନୁଯାୟୀ ଭୁଲ୍ ବନାନ୍ ମାନଙ୍କର ସଂଶୋଧନ ରାଜସ୍ୱ ବିଭାଗର ଅନ୍ୟତମ ସଫଳତା ବୋଲି ମାନ୍ୟବର ମନ୍ତ୍ରୀ ଅଭିହିତ କରିଛନ୍ତି l ପ୍ରକାଶଥାଉକି ଏଇ ନିକଟରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ୬୪ଟି ସ୍ଥାନର ଓଡ଼ିଆ ନାମର ବନାନ୍ ସଂଶୋଧନ ଅନୁମୋଦିତ ହୋଇଛି l ସେହିପରି ଚଳିତବର୍ଷ ଏଲନିନୋ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ଵତନ୍ତ୍ର ସହାୟତା ଆୟୁକ୍ତ ଶ୍ରୀ ରାଜେଶ୍ ପ୍ରଭାକର ପାଟିଲ୍ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l