ଥମୁନି ଭିଡ଼ ହିଂସା; ପିଲା ଚୋର ସନ୍ଦେହରେ ଅଣଓଡ଼ିଆ ଶ୍ରମିକଙ୍କୁ ଆକ୍ରମଣ

୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସମ୍ବଲପୁର, ୨୨/୦୬: ରାଜ୍ୟରେ ଥମୁନି ଭିଡ଼ ହିଂସା। ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ପରେ ବଢ଼ିଚାଲିଛି ଭିଡ଼ ହିଂସା। ଗତ ୧୬ ତାରିଖରେ ରାୟଗଡ଼ାର କଲ୍ୟାଣସିଂହପୁରରେ‌ ଜଣେ ଯୁବକ ଓ ଯୁବତୀଙ୍କୁ ପିଲା ଚୋର ସନ୍ଦେହରେ ଭିଡ଼ ଆକ୍ରମଣ କରାଯାଇଥିଲା। ଯାହା ଏବେ ବି ଥମିନି। ଏ ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଉ ପୁଣି ସେହି ସମାନ ପ୍ରାୟ ଘଟଣା ଘଟିଛି।

ପିଲା ଚୋର ସନ୍ଦେହରେ ରାଜ୍ୟ ବାହାରର ଜଣେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି। ସମ୍ବଲପୁର ଜିଲ୍ଲାର କ୍ଷେତ୍ରରାଜପୁର ଥାନା ଧୋବାପଡ଼ା ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି।

କେରଳର ବିଷ୍ଣୁ କୈସ ନାମକ ଶ୍ରମିକ ବରଗଡ଼ରେ ୱେଲ୍ଡିଂ ମିସ୍ତ୍ରୀ ଭାବ କାମ କରନ୍ତି। ଗତକାଲି ଧୋବାପଡ଼ା ପାର୍କ ଅଞ୍ଚଳରେ ବୁଲୁଥିବା ବେଳେ କିଛି ଲୋକଙ୍କ ନଜରକୁ ଆସିଥିଲେ।ବେଶଭୂଷା ଓ କଥାବାର୍ତ୍ତା ସ୍ଥାନୀୟ ଲୋକଙ୍କୁ ସନ୍ଦେହଜନକ ଲାଗିଥିଲା। ପରେ କିଛି ଲୋକ ତାଙ୍କୁ ମାଡ଼ ମାରିବା ସହ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଖବରପାଇ ପୋଲିସ ଶ୍ରମିକଙ୍କୁ ଉଦ୍ଧାର କରି ପଚରାଉଚରା ପରେ କେରଳ ପଠାଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।