ନୂଆଦିଲ୍ଲୀ, ୨୩/୦୬: ମେଟା ଏବେ ହ୍ୱାଟ୍ସଆପ୍ ପାଇଁ ସିଇଓ ନିଯୁକ୍ତ କରିଛି। କୁନାଲ ଶାହ ଏବେ ହ୍ୱାଟ୍ସଆପର ନୂଆ ସିଇଓ। ସେ ମେଟାର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ର ନେତୃତ୍ୱ ନେବେ। ଯାହାର ବର୍ତ୍ତମାନ ବିଶ୍ୱ ସ୍ତରରେ ୩୩୦ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି। ତେବେ ବର୍ତ୍ତମାନ କୁନାଲ ଶାହଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। କାରଣ ଯେତେବେଳେ ଫେସବୁକ, ଗୁଗଲ କିମ୍ବା ଏକ୍ସ କଥା ଆସେ ସେତେବେଳେ ନିହାତି ଏହାର ଦାୟିତ୍ୱ ନେଉଥିବା ବ୍ୟକ୍ତି କୌଣସି ସଫ୍ଟୱେର କ୍ଷେତ୍ରରୁ ଆସୁଥିବା ସମସ୍ତେ ଜାଣନ୍ତି।
କିନ୍ତୁ ଏବେ ହ୍ୱାଟ୍ସଆପ୍ ର ନୂଆ ସିଇଓ କୁନାଲ ଶାହଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାହଙ୍କ ଶିକ୍ଷାଗତ ଯାତ୍ରା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୁନାଲ ଏକ ଆର୍ଥିକ ସ୍ୱଚ୍ଛଳ ନଥିବା ପରିବାରର। ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଯଥେଷ୍ଟ ଆର୍ଥିକ ସମ୍ବଳ ନଥିବାରୁ ମୁମ୍ବାଇର ୱିଲସନ କଲେଜରେ ଦର୍ଶନଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ନରସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ରେ MBA ରେ ଆଡ଼ମିଶନ ନେଇ ମଧ୍ୟ ପଢ଼ା ଶେଷ କରିନଥିଲେ। ଗୋଟିଏ ବର୍ଷ ପରେ ଅଧାରୁ ଡ୍ରପଆଉଟ କରି ଦେଇଥିଲେ।
ପାରମ୍ପରିକ କର୍ପୋରେଟ୍ ରାସ୍ତା ଗ୍ରହଣ କରିବା ପରିବର୍ତ୍ତେ, ଶାହା ଉଦ୍ୟୋଗୀତାକୁ ବାଛିଥିଲେ। ୨୦୧୦ ମସିହାରେ ସେ ‘ଫ୍ରିଚାର୍ଜ’ ଏକ ଡିଜିଟାଲ୍ ପେମେଣ୍ଟ ଏବଂ ମୋବାଇଲ୍ ରିଚାର୍ଜ ପ୍ଲାଟଫର୍ମର ସହ-ପ୍ରତିଷ୍ଠା କରିଥିଲେ। ଯେତେବେଳେ ଭାରତରେ ଅନଲାଇନ୍ ପେମେଣ୍ଟକୁ ଏବେ ବି କିଛି ମାତ୍ରାରେ ଗ୍ରହଣ କରାଯାଇନାହିଁ, ଫ୍ରିଚାର୍ଜ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ କ୍ୟାସବ୍ୟାକ୍ ପୁରସ୍କାର ଏବଂ ଅଫର ସହିତ ଆକର୍ଷିତ କରିଥିଲା। ୨୦୧୫ ମସିହାରେ ସ୍ନାପଡିଲ୍ ଦ୍ୱାରା ଏହାକୁ ଅଧିଗ୍ରହଣ କରାଯାଇଥିଲା ଯାହାର ମୂଲ୍ୟ ୪୦୦ ନିୟୁତ ଡଲାରରୁ ୪୫୦ ନିୟୁତ ଡଲାର ମଧ୍ୟରେ ଥିଲା।
୨୦୧୮ ମସିହାରେ ସିଆର୍ଇଡି (CRED) ଆରମ୍ଭ କରିଥିଲେ। ଏହା ଏକ ଫିନଟେକ୍ ପ୍ଲାଟଫର୍ମ ଯାହା ସମୟସୀମା ମଧ୍ୟରେ କ୍ରେଡିଟ୍ କାର୍ଡ ବିଲ୍ ପରିଶୋଧ କରୁଥିବା ଲୋକଙ୍କୁ ପୁରସ୍କୃତ କରେ।
ହ୍ୱାଟସଅପ୍ ର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ
୨୦୧୯ ମସିହାରୁ ହ୍ୱାଟସଆପର ନେତୃତ୍ୱ ନେଉଥିବା ୱିଲ୍ କ୍ୟାଥକାର୍ଟଙ୍କ ସ୍ଥାନରେ ମେଟା କୁନାଲ ଶାହଙ୍କୁ ବାଛିଛି। କ୍ୟାଥକାର୍ଟଙ୍କ ସମୟରେ ହ୍ୱାଟ୍ସଆପ୍ ବିଶ୍ୱବ୍ୟାପୀ ୩୩୦ କୋଟି ଉପଭୋକ୍ତା ପାର କରିଛି।