କାବୁଲ, ୦୧/୧୦: ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକରେ ୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଆହତ ହୋଇଥିବା ଆଫଗାନିସ୍ତାନର ତାଲିବାନ୍ ସରକାର ଏହି ଦାବି କରିଛନ୍ତି।
ପାକିସ୍ତାନୀ ସେନା ଆଫଗାନିସ୍ତାନର ଦୁଇଟି ପ୍ରଦେଶ—କୁନାର ଏବଂ ହେଲମାଣ୍ଡରେ ରାତିସାରା ଏୟାରଷ୍ଟ୍ରାଇକ୍ କରିଥିଲା।ଆଫଗାନ ତାଲିବାନ୍ ସରକାରଙ୍କ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଏହି ବୋମାବର୍ଷାରେ ତିନୋଟି ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ତାଲିବାନ୍ ସରକାର ଏହି ଆକ୍ରମଣକୁ ଆନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏକ ବର୍ବରତାପୂର୍ଣ୍ଣ କାର୍ଯ୍ୟ ବୋଲି ନିନ୍ଦା କରିଛନ୍ତି।
ପାକିସ୍ତାନର ସୂଚନା ମନ୍ତ୍ରଣାଳୟ ଦାବି କରିଛି ଯେ ଏହି ଗୁପ୍ତଚର-ଭିତ୍ତିକ ଅପରେସନ୍ କେବଳ ଆତଙ୍କବାଦୀଙ୍କ ଆଡ୍ଡାକୁ ଲକ୍ଷ୍ୟ କରି କରାଯାଇଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନର ସ୍ପଷ୍ଟୀକରଣ ଯେ ସେମାନେ କେବଳ ସେହି ସଂଗଠନଗୁଡ଼ିକୁ ଯେପରିକି ତେହେରିକ୍-ଇ-ତାଲିବାନ୍ ପାକିସ୍ତାନକୁ ଟାର୍ଗେଟ କରୁଛନ୍ତି, ଯେଉଁମାନେ ଆଫଗାନିସ୍ତାନ ସୀମା ପାର ହୋଇ ପାକିସ୍ତାନ ଭିତରେ ଆକ୍ରମଣ କରୁଛନ୍ତି।
ଦୁଇ ଦେଶର ସୀମାନ୍ତରେ ସକ୍ରିୟ ଥିବା ମିଲିଟାଣ୍ଟ / ଆତଙ୍କବାଦୀଙ୍କୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ରହିଛି। ଆଫଗାନିସ୍ତାନର ତାଲିବାନ୍ ସରକାର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ନେଇ ପାକିସ୍ତାନ କ୍ରମାଗତ ଅଭିଯୋଗ କରିଆସୁଛି, ଯାହାକୁ କାବୁଲ ପ୍ରତ୍ୟାଖ୍ୟାନ କରିଆସୁଛି।
ମିଳିତ ଜାତିସଂଘର ଆଫଗାନିସ୍ତାନ ମିସନ୍ (UNAMA) ଅନୁଯାୟୀ, ଏହି ସୀମାନ୍ତ ହିଂସା ଓ ଆକ୍ରମଣ କାରଣରୁ ଚଳିତ ବର୍ଷ ୧,୧୦୦ ରୁ ଅଧିକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି।