ସ୍ମିତ୍ ମଚ୍ଛାରଙ୍କୁ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’

ମଚ୍ଛାରଙ୍କ ସାହସିକତା ପାଇଁ ପୁରସ୍କାର ଘୋଷଣା କଲେ ଗୁଜରାଟ ସରକାର

ଅହମ୍ମଦାବାଦ, ୦୧/୧୦: ଫ୍ଲାଏଦୁବାଇ ବିମାନ ଘଟଣା ସମୟରେ ଅସାଧାରଣ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ବଡ଼ ସମ୍ମାନ। ତାଙ୍କ ସାହସିକତାକୁ ସମ୍ମାନ ଜଣାଇ ଗୁଜରାଟ ସରକାର ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଏହି ଘୋଷଣା କରିଛନ୍ତି।

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ବୁଧବାର ଏକ ଗୁରୁତର କକପିଟରେ ପାଇଲଟଙ୍କୁ ଛୁରାମାଡ଼ କରିଥିଲେ କୋ-ପାଇଲଟ। ବିମାନରେ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ। ଘଟଣା ସମୟରେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର ଗୁରୁତର ଭାବେ ଆହତ ହୋଇଥିଲେ। ତଥାପି ସେ ପରିସ୍ଥିତିକୁ ସମ୍ଭାଳିବାରେ ସାହସ ଦେଖାଇଥିଲେ।

ରିପୋର୍ଟ ଅନୁସାରେ, କକପିଟ୍‌ରେ ଘଟିଥିବା ଘଟଣା ପରେ ବିମାନଟି ହଠାତ୍ ତଳକୁ ଖସିବା ଆରମ୍ଭ କରିଥିଲା। ଗୁରୁତର ଆହତ ହୋଇଥିଲେ ମଧ୍ୟ ମଚ୍ଛାର କକପିଟ୍ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ ଅନ୍ୟ କ୍ରୁ ସଦସ୍ୟ ଓ ଯାତ୍ରୀମାନଙ୍କ ସହାୟତାରେ ବିମାନକୁ ସାଉଦି ଆରବର ତାବୁକ୍‌କୁ ଡାଇଭର୍ଟ କରାଯାଇ ସେଠାରେ ଜରୁରୀ ଅବତରଣ କରାଯାଇଥିଲା। ତେବେ ଛୁରାମାଡରେ ମଚ୍ଛାର ଆହତ ହୋଇ ତବୁକ୍‌ର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭାରତୀୟ ଦୂତାବାସ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।

ସ୍ମିତ୍ ମଚ୍ଛାରଙ୍କ ଏହି ସାହସକୁ ନେଇ ଭାରତ ସମେତ ବିଦେଶରୁ ମଧ୍ୟ ପ୍ରଶଂସାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ‘ହିରୋ’ ବୋଲି ସମ୍ବୋଧନ କରିବା ସହ ଗୁରୁତର ଆହତ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ତାଙ୍କ ସାହସ ଓ ଦୃଢ଼ ସଂକଳ୍ପର ପ୍ରଶଂସା କରିଛନ୍ତି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ଭାରତୀୟ ପାଇଲଟଙ୍କ ସାହସକୁ ପ୍ରଶଂସା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘଟଣାରେ ମଚ୍ଛାରଙ୍କ ସାହସର ପ୍ରଶଂସା କରିଥିବା ରିପୋର୍ଟ ରହିଛି।