ପ୍ରତାରଣା ଓ ବିଶ୍ୱାସଘାତକତା: ସାରା ଦେଶକୁ ଦୋହଲାଇ ଦେଇଛି ପୁନେ ମର୍ଡ଼ର
ଭାବୀସ୍ୱାମୀଙ୍କୁ ୪୦୦ ଫୁଟ୍ ଉପରୁ ଠେଲି ହତ୍ୟା
ପୁନେ, ୨୪/୦୬: ପ୍ରେମ ଓ ବିଶ୍ୱାସଘାତକତାର ଏକ ନିଷ୍ଠୁର କାହାଣୀ। ପୁଣେର ଲୋହାଗଡ଼ କିଲ୍ଲାରେ ବିଶ୍ୱାସରେ ବିଷ ଦେଲା ଭାବି ପତ୍ନୀ। ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କେତନ ବିଶାଲ୍ ଅଗ୍ରୱାଲ୍ଙ୍କୁ ପ୍ରେମିକଙ୍କ ସହ ମିଶି ଲୋହାଗଡ଼ କିଲ୍ଲାର ଗଭୀର ଖାଇରୁ ଧକ୍କା ଦେଇ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି। କିଭଳି ପ୍ରେମ ପାଇଁ ବାହା ହେବାକୁ ଚାହୁଁନଥିବା ସିୟା ପ୍ରେମିକ ସହ ମିଶି ଭାବୀ ସ୍ୱାମୀଙ୍କୁ ହତ୍ୟା କରିଛି, ତାହା ସାରା ଦେଶକୁ ଦୋହଲାଇ ଦେଇଛି।
ପୁନେ ପୋଲିସ୍ ସିୟା ଗୋୟଲ୍ (୨୦) ଓ ତାଙ୍କ ପ୍ରେମିକ ଚେତନ ବାବୁଲାଲ୍ ଚୌଧୁରୀ (୨୨)ଙ୍କୁ ଗିରଫ କରିଛି। ସେମାନେ ସିୟାଙ୍କ ଭାବୀ ସ୍ୱାମୀ କେତନ ବିଶାଲ୍ ଅଗ୍ରୱାଲ୍ (୨୬)ଙ୍କୁ ଜୁନ୍ ୧୮ ତାରିଖରେ ଲୋହାଗଡ଼ କିଲ୍ଲାରୁ ପ୍ରାୟ ୪୦୦ ଫୁଟ୍ ଗଭୀର ଖାଇକୁ ଧକ୍କା ଦେଇ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିଲେ ହେଁ ଉଭୟଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା।
କେତନ୍ ପୁନେର ପିମ୍ପ୍ରି-ଚିଞ୍ଚୱାଡ଼ର ଜଣେ ପ୍ରମୁଖ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ବିଶାଲ୍ ଅଗ୍ରୱାଲଙ୍କ ପୁଅ ଥିଲେ। ଫେବ୍ରୁଆରୀରେ ସିୟାଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା ଓ ନଭେମ୍ବରରେ ଉଦୟପୁରରେ ଧୁମ୍ଧାମ୍ରେ ସେମାନଙ୍କର ବିବାହ ହେବାର ପ୍ଲାନିଂ ଥିଲା। ପରିବାର ପକ୍ଷରୁ ଏହା ଏକ ଗ୍ରାଣ୍ଡ ୱେଣ୍ଡିଂ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ସିୟା ଚେତନଙ୍କ ସହ ପ୍ରାୟ ଏକ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ତେଣୁ ସେ କେତନଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ। ତେଣୁ ସେ ପ୍ରାୟ ମାସେ ଧରି କେତନଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ।
ଜୁନ୍ ୧୪ ତାରିଖରେ ସିୟା କେତନ୍ଙ୍କୁ ଲୋହାଗଡ଼ କିଲ୍ଲାକୁ ନେଇ ପ୍ରଥମ ଥର ଧକ୍କା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇ ନଥିଲେ। ସେଠାରେ ତାଙ୍କୁ ଠେଲି ଦେଇଥିଲେ। କିନ୍ତୁ ଭାଗ୍ୟ ଜୋର ଥିବାରୁ ବଞ୍ଚି ଯାଇଥିଲେ କେତନ। ସାପ ଥିବାରୁ ଠେଲି ଦେଇଥିବା କହିଥିଲେ ସିୟା। କିନ୍ତୁ ଜୁନ୍ ୧୮ ତାରିଖରେ ପୁଣି ଥିଲା କାଳ ଦିନ। ଜୁନ୍ ୧୯ରେ ଜନ୍ମଦିନ ଥିବାରୁ ପିକନିକ୍ ବାହାନାରେ କେତନ୍ଙ୍କୁ ସେଠାକୁ ନେଇଥିଲେ ସିୟା। ସେଠାରେ ଚେତନ୍ ହୁଡି ପିନ୍ଧି ପଛରୁ ଆସି କେତନ୍ଙ୍କୁ ଧକ୍କା ଦେଇଥିଲେ। ପରେ ସିୟା ପୋଲିସ୍କୁ କହିଥିଲେ ଯେ ଫଟୋ ଉଠାଉଥିବା ସମୟରେ ଜୋର ପବନ ହେବାରୁ କେତନ୍ ନିଜକୁ ସମ୍ଭାଳି ନ ପାରି ପଡ଼ିଯାଇଥିଲେ। ମୃତଦେହ ଉଦ୍ଧାର କରି ପୋଲିସ ପ୍ରଥମେ ଦୁର୍ଘଟଣା ମାମଲା ରୁଜୁ କରିଥିଲା।
କିନ୍ତୁ କେତନ୍ଙ୍କ ପରିବାରର ସନ୍ଦେହ ହେଲା। ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ, ଚେତନ୍ ସିୟା-କେତନଙ୍କ ପଛେ ପଛେ ଯାଇ ଏପରି କରିଛି। ଏହା ପରେ କଲ୍ ରେକର୍ଡ୍, ସିୟାଙ୍କ ଫୋନ୍ ଓ ଅନ୍ୟାନ୍ୟ ପ୍ରମାଣ ଯୋଗାଡ଼ କରିଥିଲା ପୋଲିସ। ପରେ ଅଧିକ ପଚରାଉଚରା କରିବାରୁ ଉଭୟେ ସ୍ୱୀକାର କରିଥିଲେ ଯେ, ସେମାନେ ହିଁ ମିଳିମିଶି କେତନଙ୍କୁ ହତ୍ୟା କରିଛନ୍ତି। ମ୍ୟାଜିଷ୍ଟ୍ରେଟ୍ କୋର୍ଟ୍ ସେମାନଙ୍କୁ ଜୁନ୍ ୨୯ ପର୍ଯ୍ୟନ୍ତ ପୋଲିସ୍ ହାଜତ୍କୁ ପଠାଇଛନ୍ତି।
କେତନ୍ଙ୍କ ବାପା ବିଶାଲ୍ ଅଗ୍ରୱାଲ୍ କହିଛନ୍ତି, “ଯଦି ବିବାହ କରିବାକୁ ଚାହୁଁ ନଥିଲେ ତ ସ୍ପଷ୍ଟ କରିଦେଇଥାନ୍ତେ। ଆମେ ବାହାଘର ବନ୍ଦ କରିଦେଇଥାନ୍ତୁ। କିନ୍ତୁ ଏତେ ନିଷ୍ଠୁର ପଦକ୍ଷେପ କାହିକି ନେଲେ ସିୟା?” ପରିବାର ସେମାନଙ୍କ ମୃତ୍ୟୁଦଣ୍ଡ ଦାବି କରିଛି। ସେ ଅଭିଯୋଗ କରିଛନ୍ତି ଯେ, ସିୟାଙ୍କ ପରିବାର ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ ମଧ୍ୟ ବିବାହ ପାଇଁ ଜିଦ୍ ଧରିଥିଲେ। ଯାହା ଫଳରେ ଏଭଳି ଘଟଣା ଘଟିଛି।
କେତୁଙ୍କ ପରିବାର ଲୋକେ କହିଛନ୍ତି, ଆସନ୍ତା ନଭେମ୍ବରରେ ହେବାକୁ ଯାଉଥିବା ବାହାଘରରେ ୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ସେଥିପାଇଁ ରାଜସ୍ଥାନର ଜୟପୁରରେ ଏକ ପ୍ୟାଲେସ ବି ବୁକିଂ ସରିଥିଲା। ଖୁବ୍ ଧୁମଧାମରେ ବାହାଘର ହୋଇଥାନ୍ତା। ହେଲେ, ଏହା ପୂର୍ବରୁ ହିଁ ସିୟା ମର୍ଡ଼ର ପ୍ଲାନିଙ୍ଗ ସଫଳ ହୋଇଗଲା।