ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସ: ସ୍ମିତ୍ ମଚ୍ଛାରଙ୍କୁ ଚାରିଆଡୁ ପ୍ରଶଂସା
ସ୍ମିତ୍ ମଚ୍ଛାରଙ୍କୁ ପ୍ରକୃତ ହିରୋ କହିଲେ ଟ୍ରମ୍ପ ଓ ନେତନ୍ୟାହୁ
ନୂଆଦିଲ୍ଲୀ, ୦୧/୧୦: ମଝି ଆକାଶରେ ଫ୍ଲାଏଦୁବାଇ ବିମାନରେ ଘଟିଥିବା ଗୁରୁତର ଘଟଣା ପରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ FZ1073 ବିମାନରେ ଏହି ଘଟଣା ଘଟିଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ।
ଘଟଣା ସମୟରେ ସହ-ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ତଦନ୍ତ ଚାଲିଥିବାରୁ ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ଏବେ କୌଣସି ଚୂଡ଼ାନ୍ତ ରିପୋର୍ଟ ଆସିନାହିଁ। ତେବେ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଅନୁସାରେ, ଘଟଣା ପରେ ବିମାନଟି ଦ୍ରୁତଗତିରେ ଉଚ୍ଚତା ହରାଇଥିଲା ଏବଂ ଏହାକୁ ଜରୁରୀ ଭାବେ ସାଉଦି ଆରବର ତାବୁକ୍ରେ ଅବତରଣ କରାଯାଇଥିଲା।
ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ମଚ୍ଛାର କକ୍ପିଟ୍ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ପରେ ବିମାନରେ ଥିବା କିଛି ଯାତ୍ରୀ ଓ କ୍ରୁ ସଦସ୍ୟ କକ୍ପିଟ୍ ଭିତରକୁ ପହଞ୍ଚି ସହ-ପାଇଲଟ୍ଙ୍କୁ ନିୟନ୍ତ୍ରଣକୁ ଆଣିବାରେ ସହାୟତା କରିଥିଲେ। ଯାତ୍ରୀଙ୍କ ମଧ୍ୟରେ ଥିବା ଅଫ୍-ଡ୍ୟୁଟି ପାଇଲଟ୍ମାନେ ପରେ ବିମାନକୁ ସୁରକ୍ଷିତ ଭାବେ ତାବୁକ୍ରେ ଲ୍ୟାଣ୍ଡ କରାଇବାରେ ସହଯୋଗ କରିଥିଲେ।
ରଏଟର୍ସ ଅନୁସାରେ, ବିମାନଟି ପ୍ରାୟ ୧୪ ହଜାର ଫୁଟ୍ ଉଚ୍ଚତା ହରାଇଥିଲା। ଏହି ଘଟଣାରେ ବିମାନର ରାଡାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ହୋଇଛି। ତଥାପି ବିମାନଟି ତାବୁକ୍ରେ ଜରୁରୀ ଅବତରଣ କରିବାରେ ସଫଳ ହୋଇଥିଲା।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କ୍ୟାପଟେନ୍ ମଚ୍ଛାରଙ୍କ ସାହସକୁ ପ୍ରଶଂସା କରି ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କହିଛନ୍ତି। ଗୁରୁତର ଆହତ ସତ୍ତ୍ୱେ ସେ ପ୍ରତିରୋଧ କରି କକ୍ପିଟ୍ ଦ୍ୱାର ଖୋଲିଥିଲେ ଏବଂ ଯାତ୍ରୀ ଓ କ୍ରୁଙ୍କୁ ହସ୍ତକ୍ଷେପ କରିବାର ସୁଯୋଗ ଦେଇଥିଲେ। ଯାହା ଫଳରେ ୧୭୪ ଜଣଙ୍କ ଜୀବନ ରକ୍ଷା ପାଇଥିଲା ବୋଲି ନେତନ୍ୟାହୁ କହିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘଟଣାକୁ ନେଇ ନେତନ୍ୟାହୁଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ବିମାନରେ ଥିବା ଲୋକମାନେ ବଞ୍ଚିପାରିବା ପଛରେ ଯେଉଁମାନେ ତୁରନ୍ତ ପଦକ୍ଷେପ ନେଇଥିଲେ, ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି।
ଆକ୍ରମଣରେ ଆହତ ହୋଇଥିବା କ୍ୟାପଟେନ୍ ମଚ୍ଛାରଙ୍କୁ ତାବୁକ୍ର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁସାରେ ତାଙ୍କର ଅସ୍ତ୍ରୋପଚାର ହୋଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ତାଙ୍କ ପରିବାର ଓ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି।
ଘଟଣାରେ ଅଭିଯୁକ୍ତ କୋ-ପାଇଲଟ୍ ଓମାନର ନାଗରିକ ବୋଲି ଇସ୍ରାଏଲୀ କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କୁ ସାଉଦି ଆରବରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଆକ୍ରମଣ ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।