ପୁରୀ, ୨୭/୦୬: ଆସନ୍ତା ୨୯ ତାରିଖ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ।
ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ଯାଉଥିବା ଗାଡ଼ି ପାଇଁ ମାର୍କେଟ ଛକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମୁଦ୍ର କୂଳ ଯିବାକୁ ହେଲେ ଦିଗବାରେଣୀ ନିକଟରେ ଗାଡ଼ି ପାର୍କିଂ କରାଯିବ।
ପୁରୀକୁ ଯାଉଥିବା ସମସ୍ତ ବସ୍ ମାଳତୀପାଟପୁରରେ ରହଣୀ ବ୍ୟବସ୍ଥା କରାଯାଇଛି। ଶରଧାବାଲିରେ ସିଟି ବସ୍ ଓ ତାଳବଣିଆରେ ଟୁରିଷ୍ଟ ବସ୍ ରହିବ।
ସିଟି ରୋଡ୍ରେ କୌଣସି ବସ୍ ଚଳାଚଳ ପାଇଁ ଅନୁମତି ନାହିଁ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିଛି। ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ପାଇଁ ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଶ୍ରୀମନ୍ଦିର ଭିତରେ ୫୨ ଓ ବାହାରେ ୨୫୦ ସିସିଟିଭି ଲାଗିବ। ସହରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲାଗିବ। ଉଚ୍ଚ ଅଟ୍ଟାଳିକା ଉପରେ ରହି ତୀକ୍ଷ୍ଣ ନଜର ରଖିବେ ସୁରକ୍ଷା କର୍ମୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।
ସେହିପରି ଜରୁରୀ ସୂଚନା ପାଇଁ ପୁରୀ ପୋଲିସ ପକ୍ଷରୁ ହ୍ବାଟସ୍ଆପ୍ ନମ୍ବର ୮୭୬୩୧୯୯୪୦୦ ଜାରି କରାଯାଇଛି। ଅଧିକ ସୂଚନା ପାଇଁ ଜରୁରିକାଳୀନ ନମ୍ୱର ୧୧୨ କଲ୍ କରିପାରିବେ।