ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

୨୦୨୦ ପରେ ହେବ ପ୍ରଥମ ଭାରତ ଗସ୍ତ

ନୂଆଦିଲ୍ଲୀ, ୨୭/୦୬: ଆସନ୍ତା ମାର୍ଚ୍ଚ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ରୁବିଓ କହିଛନ୍ତି, ଆସନ୍ତା ବର୍ଷ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ କରିବା ପୂର୍ବରୁ ସେ ନିଜେ ଚଳିତ ବର୍ଷ ଶେଷ ଭାଗ ଆଡ଼କୁ ଆସି ଗସ୍ତର ସମୀକ୍ଷା କରିବେ।

ସେ କହିଛନ୍ତି, ଭାରତ ଆମେରିକାର ଜଣେ ଘନିଷ୍ଠ ସହଯୋଗୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ଦୃଢ଼ ବ୍ୟକ୍ତିଗତ ସମ୍ପର୍କ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରୁଛି।

ଯଦି ଏହି ଗସ୍ତ ସଫଳ ହୁଏ, ତେବେ ଏହା ଫେବୃଆରୀ ୨୦୨୦ ପରେ ଟ୍ରମ୍ପଙ୍କର ପ୍ରଥମ ଭାରତ ଗସ୍ତ ହେବ। ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ମଧ୍ୟ ଏହା ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ହେବ। ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଦେଶ ଶୀଘ୍ର ଏହାକୁ ଚୂଡ଼ାନ୍ତ କରିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରି ରୁବିଓ କହିଛନ୍ତି ଯେ ସେ ମୋଦୀଙ୍କ ଜଣେ ପ୍ରଶଂସକ ଏବଂ ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱସ୍ତରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ସେ କହିଛନ୍ତି ଯେ ଭାରତ ଓ ଆମେରିକା ଶକ୍ତି ଯୋଗାଣ ବଢ଼ାଇବା ପାଇଁ ମିଳିତ ଭାବେ କାମ କରୁଛନ୍ତି।