ଅଶୁଭ ଗୁରୁବାର: ଉଜାଡ଼ି ଦେଲା ଅନେକ ପରିବାର

ବାଟରେ ଅପେକ୍ଷା କରିଥିଲା ମୃତ୍ୟୁ: ନିମିଷକେ ଚାଲିଗଲା ୮ ଜୀବନ

ଢେଙ୍କାନାଳ, ୨୩/୦୭: ଅଶୁଭ ଗୁରୁବାର। ହସଖୁସିରେ ଆରମ୍ଭ ହୋଇଥିବା ଯାତ୍ରା ଆଖି ପିଛୁଳାକେ ଅନେକ ପରିବାର ପାଇଁ ଆଣିଦେଇଛି ଅପୂରଣୀୟ ଦୁଃଖ। କାହା ଘରର ପୁଅ ଫେରିଲାନି, କାହାର ବାପା ଆଉ କାହାର ଭାଇ ଅଧା ବାଟରେ ହିଁ ଛାଡ଼ିଗଲେ ଜୀବନର ସାଥ।

ଆଜି ରାଜ୍ୟର ଦୁଇଟି ଭିନ୍ନ ସ୍ଥାନରେ ଘଟିଥିବା ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ଢେଙ୍କାନାଳରେ ବରଯାତ୍ରୀଙ୍କ କାର୍ ପୋଖରୀକୁ ଖସିପଡ଼ି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ, ଚମ୍ପୁଆରେ ଗଛରେ କାର୍ ପିଟି ହେବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରଥମ ଦୁର୍ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର-ଛାଟିଆ ଗ୍ରାମ ନିକଟରେ ଘଟିଛି। ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା। କାର୍‌ରେ ମୋଟ ୭ ଜଣ ଥିବା ବେଳେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସେହିପରି, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳର ରଜିଆ ନିକଟରେ ଆଉ ଏକ କାର୍ ଦୁର୍ଘଟଣା ଘଟିଛି। ଚମ୍ପୁଆ ମେଡିକାଲ୍ ଯିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ସ୍ଥାନୀୟ ସିଜୁକଳା ଗାଁର ବୋଲି ସୂଚନା ମିଳିଛି।

ଉଭୟ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।