ରଥଯାତ୍ରାକୁ ନେଇ ଅତ୍ୟନ୍ତ ଘୃଣ୍ୟ ଓ ହୀନ ରାଜନୀତି କରୁଛି ବିଜେଡି: ବିରଞ୍ଚି ନାରାୟଣ ତ୍ରିପାଠୀ
ରଥଯାତ୍ରା ହେଉ ବା ତଦନ୍ତ କମିଶନ ହେଉ, ସେ ସମ୍ପର୍କରେ କିଛି କହିବା ପାଇଁ ବିଜେଡିର କୌଣସି ନୈତିକ ଅଧିକାର ନାହିଁ
କୋଭିଡ ସମୟରେ ରଥଯାତ୍ରା ବନ୍ଦ କରିବାକୁ ସବୁପ୍ରକାର ପ୍ରୟାସ କରିଥିଲା ବିଜେଡି
ଭୁବନେଶ୍ୱର, ୨୫/୦୭: ବିଜେପି ସରକାର ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ସାଧାରଣଜନତାଙ୍କ ସହଯୋଗରେ ଭରପୁର ପ୍ରୟାସ କରିଛି । ରଥଯାତ୍ରାରେ ପ୍ରତ୍ୟେକ ବର୍ଷ ଦର୍ଶନାର୍ଥୀଙ୍କ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି । ସେହି ପରିପ୍ରେକ୍ଷୀରେ କାଁ ଭାଁ କିଛି ଅସ୍ୱାଭାବିକ ଘଟଣା ଘଟିବା ଆମ୍ଭମାନଙ୍କୁ ମର୍ମାହତ କରିଛି । ସରକାର ସେନେଇ ସଚେତନ ଥିବା ସହିତ ଭବିଷ୍ୟତରେ କିଭଳି ଆଉ ଦୁର୍ଘଟଣା ନ ଘଟିବ ସେ ଦୃଷ୍ଟିରୁ ପ୍ରୟାସରତ ଅଛନ୍ତି । ଯେଉଁମାନଙ୍କ ଦେହାନ୍ତ ହୋଇଛି ସେନେଇ ସରକାର ଦୁଃଖ ପ୍ରକାଶ କରିବା ସହ କେଉଁ ପରିସ୍ଥିତରେ ଏଭଳି ଦୁର୍ଘଟଣା ହୋଇଛି, ତାହାର କାରଣ ଓ ନିରାକଣ ସମ୍ପର୍କରେ ତଦନ୍ତ କରୁଛନ୍ତି । ଏନେଇ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ଏବଂ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟତା ଆସିଲା ପରେ ପ୍ରତ୍ୟେକ ବିଷୟରେ ଅନୁସନ୍ଧାନ କରାଯିବ । କିନ୍ତୁ ବିଜୁ ଜନତା ଦଳ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଅତ୍ୟନ୍ତ ଘୃଣ୍ୟ ଓ ହୀନ ରାଜନୀତି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ ପ୍ରକାଶ କରିଛନ୍ତି
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରଥଯାତ୍ରା ହେଉ ବା ତଦନ୍ତ କମିଶନ ହେଉ, ସେ ସମ୍ପର୍କରେ କିଛି କହିବା ପାଇଁ ବିଜେଡିର କୌଣସି ନୈତିକ ଅଧିକାର ନାହିଁ । ବିଜେଡି ହେଉଛି ସେହି ଦଳ, ଯିଏ କୋଭିଡ ସମୟରେ ରଥଯାତ୍ରା ବନ୍ଦ କରିବାକୁ ସବୁପ୍ରକାର ପ୍ରୟାସ କରିଥିଲା । ମାତ୍ର କେନ୍ଦ୍ରର ବିଜେପି ସରକାର ଓ ମାନ୍ୟବର କୋର୍ଟଙ୍କ ହସ୍ତକ୍ଷେପ କାରଣରୁ ସେତେବେଳେ ମହାପ୍ରଭୁଙ୍କର ଐତିହାସିକ ବନ୍ଦ ନ ହୋଇ, ରଥଯାତ୍ରା ସମ୍ପନ୍ନ ହୋଇଥିଲା । ବିଜୁ ଜନତା ଦଳ ବିଗତ ୨୪ ବର୍ଷ ଶାସନକାଳ ମଧ୍ୟରେ ବିଭିନ୍ନ ଦୁର୍ଘଟଣାକୁ ଓ ବିଷୟକୁ ଚପାଇ ଦେବା ପାଇଁ ଚବିଶଟି କମିଶନ ବସେଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, କୌଣସି ଗୋଟିଏ ବି କମିଶନଙ୍କ ରିପୋର୍ଟ ନା ବିଧାନସଭାରେ ଉପସ୍ଥାପିତ ହୋଇଥିଲା ନା ସାର୍ବଜନୀନ କରାଯାଇଥିଲା ନା କମିଶନଙ୍କ ସୁପାରିଶ ଆଧାରରେ କାହା ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ।
୧୯୯୩ ମସିହାରେ ବିଜୁ ପନାୟକଙ୍କ ଜନତା ଦଳ ସରକାର ଥିଲାବେଳେ ଜଗନ୍ନାଥଙ୍କ ନାର୍ଗାଜୁନ ବେଶ ବେଳେ ଦଳାଚକଟା ହୋଇ ୬ ଜଣ ଭକ୍ତଙ୍କ ପ୍ରାଣହାନୀ ହୋଇଥିଲା । ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ କମିଶନଙ୍କ ରିପୋର୍ଟକୁ ହଜାଇଦିଆଯାଇଥିଲା । ରିପୋର୍ଟ ହଜିବାର ତଦନ୍ତ କରିବା ପାଇଁ, ୨୦୦୬ ମସିହାରେ ଜଷ୍ଟିସ ପି.କେ ମହାନ୍ତି କମିଶନ ଗଠନ କରାଯାଇଥିଲା । କିନ୍ତୁ ଉକ୍ତ କମିଶନଙ୍କ ରିପୋର୍ଟ ମଧ୍ୟ ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ତେଣୁ କମିଶନ ତଦନ୍ତ ନାମରେ ବିଜେଡି ଏଭଳି ନାଟକ ଓ ଘୃଣ୍ୟ ରାଜନୀତି କରିବା ବନ୍ଦ କରୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।