୩୫ ଦିନର ଆନ୍ଦୋଳନରେ ପଡ଼ିଲା ଯବନିକା

କକ୍ରୋଚ ଜନତା ପାର୍ଟିର ସବୁ ଦାବି ମାନିନେଲେ ସରକାର

ନୂଆଦିଲ୍ଲୀ, ୨୫/୦୭: ଦୀର୍ଘ ଦିନର ଆନ୍ଦୋଳନରେ ପଡ଼ିଲା ଯବନିକା। ଜୁନ ୬ରୁ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସିଜେପିର ସବୁ ଦାବି ମାନି ନେଇଛନ୍ତି ସରକାର।

ନୀଟ୍‌-ୟୁଜି ୨୦୨୬ ପରୀକ୍ଷା ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଦିଲ୍ଲୀର ଜନ୍ତର୍ ମନ୍ତର୍‌ରେ ଚାଲିଥିବା କକ୍ରୋଚ୍ ଜନତା ପାର୍ଟି (CJP)ର ଛାତ୍ର ଆନ୍ଦୋଳନରେ ଅନ୍ତ ପଡ଼ିଛି। ଆଜି କେନ୍ଦ୍ର ସରକାର ଓ CJP ପ୍ରତିନିଧିମାନଙ୍କ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ ବଡ଼ ସହମତି ପ୍ରକାଶ ପାଇଛି। ସରକାର CJPର ସମସ୍ତ ଦାବି ମାନି ନେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ଆହ୍ୱାନ କରିଛନ୍ତି ପ୍ରତିଷ୍ଠାତା ଅଭିଜିତ ଦୀପକେ।

ବୈଠକରେ ହୋଇଥିବା ମୁଖ୍ୟ ସହମତି:

ଦିଲ୍ଲୀ ସମେତ ସମସ୍ତ ରାଜ୍ୟରୁ ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ FIR ଓ ମାମଲା ପ୍ରତ୍ୟାହାର କରାଯିବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ପରୀକ୍ଷା ବିବାଦ ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ। ଯାହା CJP ପକ୍ଷରୁ ଏକ କୋଟି ଟଙ୍କା ଦାବି କରାଯାଇଥିଲା।

ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ CJPର ପାଞ୍ଚ-ସୂତ୍ରୀ ପରାମର୍ଶ ଉପରେ ଆଲୋଚନା ହେବ।

ଆନ୍ଦୋଳନ ପ୍ରତ୍ୟାହାର: ସରକାରଙ୍କ ପ୍ରତିଶ୍ରୁତି ପରେ CJP ନେତୃତ୍ୱ ଆନ୍ଦୋଳନ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି। CJP କର୍ମକର୍ତ୍ତାମାନେ ଛାତ୍ରଛାତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଘରକୁ ଫେରିବାକୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିଲେ। CJP ପକ୍ଷରୁ ମୁଖ୍ୟ ବକ୍ତା ସୌରଭ ଦାସ, ଅଶୁତୋଷ ରାଙ୍କା ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ଉଭୟ ପକ୍ଷ ହାତ ମିଳାଇ ସଫଳତାର ସଙ୍କେତ ଦେଇଛନ୍ତି।

ବୈଠକ ପୂର୍ବରୁ ସିଜେପିର ମୁଖ୍ୟ ଦାବି ଯାହା ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ତାହା ପୂରା ହୋଇଥିଲା। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସରକାରଙ୍କ ସହ ସିଜେପି କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା।

ସିଜେପିର ଜନ୍ମ ଓ ଆନ୍ଦୋଳନର ଆରମ୍ଭ:

କକ୍ରୋଚ୍ ଜନତା ପାର୍ଟି (ସିଜେପି) ମେ ମାସ ୧୬ ତାରିଖ ୨୦୨୬ରେ ଅଭିଜିତ୍ ଦିପକେଙ୍କ ନେତୃତ୍ୱରେ ଇନଷ୍ଟାଗ୍ରାମରେ ଏକ ପ୍ଲାଟଫର୍ମ ଗଠିତ ହୋଇଥିଲା। ପରେ ଏହା ଯୁବକ ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷର ପ୍ରତୀକ ହୋଇ ଉଠିଲା। ଏଥିରେ ମାତ୍ର କିଛି ଦିନରେ କୋଟି କୋଟି ଫଲୋର୍ସ ବଢିଲା।

ଜୁନ୍ ମାସ ୬ ତାରିଖରେ ଦିଲ୍ଲୀର ଜନ୍ତର୍ ମନ୍ତର୍‌ରେ CJP ପ୍ରଥମ ବଡ଼ ରାଲି ଆୟୋଜନ କରିଥିଲା। ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁଥିଲା। ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ବିଶିଷ୍ଟ ପରିବେଶବିତ୍ ସୋନମ ୱାଙ୍ଗଚୁକ।

ତେବେ ଆନ୍ଦୋଳନର ପ୍ରକୃତ ରୂପ ୨୦ ଜୁନ୍ ୨୦୨୬ରୁ ଦେଖାଦେଇଥିଲା, ଯେତେବେଳେ ଜନ୍ତର୍ ମନ୍ତର୍‌ରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଆରମ୍ଭ ହୋଇଥିଲା। ଜୁଲାଇ ୨୦ ତାରିଖରେ ସଂସଦ ଅଭିମୁଖେ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା।

୨୦ ଜୁନ୍ ପରେ ଆନ୍ଦୋଳନ ଦେଶବ୍ୟାପୀ ରୂପ ନେଇଥିଲା। ଛାତ୍ରଛାତ୍ରୀଙ୍କ ସହ ଯୁବକ-ଯୁବତୀ, ବେକାର ଯୁବକ ଓ ସାଧାରଣ ନାଗରିକମାନେ ଏଥିରେ ସାମିଲ ହୋଇଥିଲେ।

୨୦ ଜୁନ୍ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପ୍ରାୟ ୩୫ ଦିନ ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ସିଜେପି ନେତୃତ୍ୱ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ, ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରିଥିଲେ।