ଜାତୀୟ ଖାଦ୍ୟ ତୈଳ ମିଶନ- ଅଏଲ ପାମ୍ ଅନ୍ତର୍ଗତ ରନ୍ଧନ ତୈଳ ଉତ୍ପାଦନ ବୃଦ୍ଧି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ପାମ୍ ତୈଳ କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା କଲେ ରାଜ୍ୟପାଳ
ଭୁବନେଶ୍ୱର, ୩୧/୦୭: ଜାତୀୟ ଖାଦ୍ୟ ତୈଳ ମିଶନ–ଅଏଲ ପାମ୍ ଅନ୍ତର୍ଗତ ରନ୍ଧନ ତୈଳ ଉତ୍ପାଦନ ବୃଦ୍ଧି ଉପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ଶୁକ୍ରବାର ଦିନ ମିଶନ–ଅଏଲ ପାମ (NMEO-OP)ର କାର୍ଯ୍ୟକାରିତାର ସ୍ଥିତି ଉପରେ ଲୋକଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ବୈଠକରେ ରାଜ୍ୟପାଳ ଭାରତର ଆମଦାନି ନିର୍ଭରତା କମାଇବା ପାଇଁ ଘରୋଇ ଖାଦ୍ୟ ତୈଳ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହା ଜାତୀୟ ଅର୍ଥନୀତିକୁ ମଜବୁତ କରିବ, ବିଦେଶୀ ମୂଦ୍ରା ସଞ୍ଚୟ କରିବ ଏବଂ ଖାଦ୍ୟ ନିରାପତ୍ତା ବଢ଼ାଇବ ବୋଲି ରାଜ୍ୟପାଳ କହିଥିଲେ ।
କୃଷିପ୍ରଧାନ ଦେଶ ହୋଇଥିବା ସତ୍ତ୍ୱେ ଭାରତ ଏପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ଖାଦ୍ୟ ତୈଳ ଆମଦାନି କରୁଛି, ଯାହା ଫଳରେ ବିଦେଶୀ ମୂଦ୍ରାର ବହୁଳ ପରିମାଣରେ ବାହ୍ୟପ୍ରବାହ ହେଉଛି ବୋଲି ରାଜ୍ୟପାଳ କହିଥିଲେ ।
ଆମଦାନି କମାଇ ଘରୋଇ ଉତ୍ପାଦନ ବୃଦ୍ଧି କରିପାରିଲେ ଦେଶର ଅର୍ଥନୀତି ମଜବୁତ୍ ହେବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯାହାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ ।
ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଏହି ମିଶନକୁ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଘରୋଇ ଖାଦ୍ୟ ତୈଳ ଉତ୍ପାଦନ ବୃଦ୍ଧି କେବଳ ଆମଦାନୀ ନିର୍ଭରତା କମାଇବ ନାହିଁ ବରଂ ଅର୍ଥନୈତିକ ସ୍ଥିରତା ବଢ଼ାଇବା ସହିତ ବିଶ୍ୱ ବଜାରର ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ଆନ୍ତର୍ଜାତୀୟ ମୂଲ୍ୟର ଉତଥାନ ପତନରୁ ଦେଶକୁ ରକ୍ଷା କରିବ।
ପୁଣି ରାଜ୍ୟପାଳ କହିଥିଲେ ଯେ ପାମ୍ ତୈଳ ହେଉଛି ସବୁଠାରୁ ଅଧିକ ଉତ୍ପାଦନକ୍ଷମ ତୈଳବୀଜ ଫସଲ । ଏହା ପାରମ୍ପରିକ ତୈଳବୀଜ ତୁଳନାରେ ପ୍ରତି ଏକକ କ୍ଷେତ୍ରରେ ଚାରିରୁ ପାଞ୍ଚ ଗୁଣ ଅଧିକ ତୈଳ ଉତ୍ପାଦନ ହୋଇଥାଏ । ଥରେ ରୋପିତ ହେଲେ ଏହି ବଗିଚା ପ୍ରାୟ ତିରିଶ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନକ୍ଷମ ରହି କୃଷକଙ୍କୁ ସ୍ଥିର ଓ ଦୀର୍ଘମିୟାଦୀ ଆୟର ଉତ୍ସ ପ୍ରଦାନ କରେ । ଏହି ମିଶନ ଗୁଣବତ୍ତାପୂର୍ଣ୍ଣ ରୋପଣ ସାମଗ୍ରୀ, ଜଳସେଚନ, ପ୍ରକ୍ରିୟାକରଣ ସ୍ଥାପନା, ନିଶ୍ଚିତ କ୍ରୟ, ବିପଣନ ଏବଂ ବୈଜ୍ଞାନିକ ଏକ୍ସଟେନ୍ସନ ସେବାକୁ ସମର୍ଥନ କରୁଥିବା ଏକ ସମନ୍ୱିତ ଦୃଷ୍ଟିକୋଣ ଗ୍ରହଣ କରିଛି।
ଓଡ଼ିଶାରେ ସମ୍ଭାବନା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଅନୁକୂଳ କୃଷି-ଜଳବାୟୁ ପରିସ୍ଥିତି ଏବଂ ବିସ୍ତୃତ ଚାଷପୋଯୋଗୀ ଜମି ସହିତ ଓଡ଼ିଶା ଭାରତର ଖାଦ୍ୟ ତୈଳ ସ୍ୱାବଲମ୍ବନଶୀଳତାରେ ଏକ ପ୍ରମୁଖ ଅବଦାନ ରଖୁଥିବା ରାଜ୍ୟ ଭାବେ ଉଭା ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ, ଗବେଷଣା ଅନୁଷ୍ଠାନ ଏବଂ ତାଲିକାଭୁକ୍ତ ବେସରକାରୀ ସହଭାଗୀଙ୍କ ସହଯୋଗରେ ଓଡ଼ିଶା ସରକାର ଗ୍ରହଣ କରିଥିବା କ୍ଲଷ୍ଟର ଆଧାରିତ କାର୍ଯ୍ୟକାରିତା କୌଶଳ ଏକ ସ୍ଥିର ପାମ୍ ତୈଳ ପରିବେଶ ତଥା ଗ୍ରାମୀଣ ଜୀବିକାର ରୂପାନ୍ତରଣ କରିପାରିବ ବୋଲି ସେ କହିଥିଲେ।
ଏହି ମିଶନ ଫସଲ ବିବିଧକରଣ, ଗ୍ରାମୀଣ ରୋଜଗାର ସୃଷ୍ଟି, କୃଷିଆଧାରିତ ଶିଳ୍ପକୁ ପ୍ରୋତ୍ସାହନ, ବେସରକାରୀ ବିନିଯୋଗର ଆକର୍ଷଣ ଏବଂ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ ଓ ବିପଣନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରି କୃଷକଙ୍କୁ ଅଧିକ ଓ ସ୍ଥିର ଆୟ ପ୍ରଦାନ କରିବ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ରାଜ୍ୟପାଳ ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରି ସମୟଭିତ୍ତିକ ଲକ୍ଷ୍ୟ ହାସଲ, କୃଷକଙ୍କ ଦକ୍ଷତା ବୃଦ୍ଧି, ପ୍ରକ୍ରିୟାକରଣ ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଅବଲମ୍ବନର ଆବଶ୍ୟକତା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଏହା ଫଳରେ ପ୍ରତ୍ୟେକ ଯୋଗ୍ୟ କୃଷକ ଏହି ମିଶନର ଲାଭ ପାଇପାରିବେ ବୋଲି ସେ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀ, ଉଦ୍ୟାନ ନିର୍ଦ୍ଦେଶାଳୟ, ପାମ୍ ତୈଳ କମ୍ପାନୀର ପ୍ରତିନିଧି ଏବଂ ଲୋକ ଭବନର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଆଲୋଚନା ସମୟରେ ରାଜ୍ୟପାଳ କୃଷକଙ୍କୁ ପ୍ରଦାନ କରାଯାଉଥିବା ସବସିଡି ଏବଂ ପାମ୍ ତୈଳ ଚାଷକୁ ପ୍ରୋତ୍ସାହନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ । ପାମ୍ ତୈଳ କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା କରି ଚାଷର ବିସ୍ତାର ଏବଂ ମିଶନ କାର୍ଯ୍ୟକାରିତାରେ ଥିବା ଚ୍ୟାଲେଞ୍ଜ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ ।
ରାଜ୍ୟପାଳ ଅନ୍ୟାନ୍ୟ ତୈଳବୀଜ ଓ ଡାଲି ଉତ୍ପାଦନ ବୃଦ୍ଧି କରିବା ସହ ଆମଦାନି ହେଉଥିବା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବା ପାଇଁ ବୈଦ୍ୟୁତିକ ଯାନ ଓ ସୌରଶକ୍ତିର ଅଧିକ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧୱ ବୈଠକରେ ଓଡ଼ିଶାରେ NMEO-OP ମିଶନର କାର୍ଯ୍ୟକାରିତାର ସ୍ଥିତି ଉପରେ ବିସ୍ତୃତଭାବେ ଆଲୋକପାତ କରିଥିଲେ । ଉଦ୍ୟାନ ନିର୍ଦ୍ଦେଶକ କଲୁଙ୍ଗ୍ ଗୋରାଖ୍ ଓ୍ୱାମନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ଗୀତାଶ୍ରୀ ପାର୍ହୀ ଧନ୍ୟବାଦ ଅର୍ପଣ କରିଥିଲେ।